ଦେଶରେ ଆଉ ୩୮,୩୫୩ କରୋନା ସଂକ୍ରମିତ ଚିହ୍ନଟ ଓ ୪୯୭ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪୦୦ ଟପିଛି । ସେହିପରି ଗତ ମଙ୍ଗଳବାର ୧୪୭ଦିନ ପରେ ଦେଶରେ କମିଥିଲା କରୋନା ସଂକ୍ରମଣ। ହେଲେ ବୁଧବାର ପୁଣି ସଂକ୍ରମଣ ୩୫ହଜାର ପାର କରିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ୪୧,୩୮,୬୪୬ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୧,୯୦,୮୦,୫୨୪ ଜଣଙ୍କୁ ଟିକା ଦିଆଯାଇସାରିଛି।
ବୁଧବାର ଗତ ୨୪ଘଣ୍ଟାରେ ୩୮ହଜାର ୩୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୪୦ହଜାର ୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୦ଲକ୍ଷ ୩୬ହଜାର ୫୧୧କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୯ହଜାର ୧୭୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧୨ଲକ୍ଷ ୨୦ହଜାର ୯୮୧ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୮୬ହଜାର ୩୫୧ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
