ଦେଶରେ ଆଉ ୪୨,୭୬୬ କରୋନା ସଂକ୍ରମିତ ଚିହ୍ନଟ ଓ ୧,୨୦୬ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୧୨୦୦ ଟପିଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୪୨.୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ଏଥିସହିତ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦେଶରେ ମୋଟ ୩୭.୨୧ କୋଟି ପାନ କୋଭିଡ ଟିକା ଦିଆଯାଇସାରିଥିବା ଜଣାଯାଇଛି । ଦେଶରେ ସୁସ୍ଥ ହାର ୯୭.୨% ଥିବାବେଳେ ଦୈନିକ ସଂକ୍ରମଣ ହାର ୧.୪୮% ରହିଛି ।
ଶନିବାର ଗତ ୨୪ଘଣ୍ଟାରେ ୪୨ହଜାର ୭୬୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧ହଜାର ୨୦୬ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୪୫ହଜାର ୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୭ଲକ୍ଷ ୯୫ହଜାର ୭୧୬କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୭ହଜାର ୧୪୫ରେ ପହଞ୍ଚିଛି । ଅନ୍ୟପକ୍ଷରେ ୨କୋଟି ୯୯ଲକ୍ଷ ୩୩ହଜାର ୫୩୮ଜଣ ସୁସ୍ଥ ହୋଇଥିବା ବେଳେ ୪ଲକ୍ଷ ୫୫ହଜାର ୦୩୩ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
