କରୋନା ମାମଲାରେ ଦ୍ରୁତ ବୃଦ୍ଧି ରେକର୍ଡ ! ଦେଶରେ ଆଉ ୯୦,୯୨୮ ସଂକ୍ରମିତ ଓ ୩୨୫ ମୃତ
ନୂଆଦିଲ୍ଲୀ : ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ମାମଲା ବଢ଼ିବା ସହ କରୋନା ମାମଲାରେ ମଧ୍ୟ ଦ୍ରୁତ ବୃଦ୍ଧି ରେକର୍ଡ କରାଯାଉଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୨୬୩୦ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛି । ସେହିପରି ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୦ ହଜାର ୯୨୮ ନୂତନ କରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨୫ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯,୨୦୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୭୧,୩୯୭ ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୫୧ ଲକ୍ଷ ୯ ହଜାର ୮୫୪ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୩ କୋଟି ୪୩ ଲକ୍ଷ ୪୧ ହଜାର ୦୦୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୨ ଲକ୍ଷ ୮୫ ହଜାର ୪୦୧ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୮୨ ହଜାର ୮୭୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜାନୁଆରୀ ୫ ପର୍ଯ୍ୟନ୍ତ ସାରା ଦେଶରେ ୧୪୮ କୋଟି ୬୭ ଲକ୍ଷ ୮୦ ହଜାର ୨୨୭ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧ ଲକ୍ଷ ୨୫ ହଜାର ୯୯ କରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୮ କୋଟି ୫୩ ଲକ୍ଷ ୫ ହଜାର ୭୫୧ କରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଲକ୍ଷ ୧୩ ହଜାର ୩୦ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତରୁ ଅଧିକ ରହିଛି ।
