କରୋନାରେ ଆଶ୍ବସ୍ତି ଖବର : ଦେଶରେ ଆଉ ୮ହଜାର ୮୬୫ ସଂକ୍ରମଣ ଓ ୧୯୭ ମୃତ
ନୂଆଦିଲ୍ଲୀ : ଦେଶରେ ପ୍ରତିଦିନ ପ୍ରାୟ ୧୦ ହଜାର କରୋନା ଭୂତାଣୁ ମାମଲା ସାମ୍ନାକୁ ଆସୁଛି । ସେପଟେ ମୃତ୍ୟୁ ମାମଲାରେ ମଧ୍ୟ ହ୍ରାସ ଘଟିବାରେ ଲାଗିଛି । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ହଜାର ୮୬୫ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯୭ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୯୭୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୩୩୦୩ ସକ୍ରିୟ ମାମଲାରେ ହ୍ରାସ ଘଟିଛି ।
ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ସୋମବାର ୪,୫୪୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୫୦ ଲକ୍ଷ ୬୫ ହଜାର ୬୧୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୭ ଜଣ ରୋଗୀ ମହାମାରୀ ହେତୁ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୫,୮୭୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬,୮୬୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪୯,୬୪,୩୭୫ କୋରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସମୟରେ ୬୪,୭୩୮ କୋରୋନାର ସକ୍ରିୟ ମାମଲା ରହିଛି । ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୪ ଲକ୍ଷ ୫୬ ହଜାର ୪୦୧ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୩୮ ଲକ୍ଷ ୬୧ ହଜାର ୭୫୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧ ଲକ୍ଷ ୩୦ ହଜାର ୭୯୩ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୬୩ ହଜାର ୮୫୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ନଭେମ୍ୱର ୧୫ ପର୍ଯ୍ୟନ୍ତ ସାରା ଦେଶରେ ୧୧୨ କୋଟି ୯୭ ଲକ୍ଷ ୮୪ ହଜାର ୦୪୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୯ ଲକ୍ଷ ୭୫ ହଜାର ୪୬୯ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୨ କୋଟି ୫୭ ଲକ୍ଷ ୭୪ ହଜାର ୧୫୯ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୭ ହଜାର ୬୧୭ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨ ପ୍ରତିଶତର କମ୍ ରହିଛି । ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୫ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୮ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୦.୪୩ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଅଷ୍ଟାଦଶ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।
