ଦିଲ୍ଲୀରେ ମଦ ସଙ୍କଟ ! ଆଜିଠୁ କାଉଣ୍ଟର ବନ୍ଦ, ସରକାର କଲେ ବିକଳ୍ପ ବ୍ୟବସ୍ଥା
ନୂଆଦିଲ୍ଲୀ : ଦିଲ୍ଲୀ ସରକାର ମଦ ବ୍ୟବସାୟରୁ ଆନୁଷ୍ଠାନିକ ଭାବେ ବାହାରି ଯିବେ। ମଙ୍ଗଳବାର ରାତିରୁ ପ୍ରାୟ ୬୦୦ଟି ସରକାରୀ ମଦ କାଉଣ୍ଟର ବନ୍ଦ ହୋଇଯିବ। ଫଳରେ ଲୋକମାନେ ଲମ୍ବା ଧାଡିରେ ଛିଡା ହୋଇ ଆଜି ଠାରୁ ମଦ ବୋହି ନେଉଥିବାର ଦେଖିବାକୁ ମିଳିଛି । ନୂତନ ବେସରକାରୀ ଦୋକାନଗୁଡିକ ୱାକ-ଇନ୍ ସୁବିଧା ସହିତ ପରବର୍ତ୍ତୀ ସମୟରେ ନୂତନ ଏକ୍ସାଇଜ୍ ନୀତି ଅନୁସରଣ କରିବ। ବୁଧବାର ସକାଳରୁ ବେସରକାରୀ ମଦ ଦୋକାନ ଖୋଲିବ।
ବିଭାଗୀୟ ସୂତ୍ର ଅନୁସାରେ, ସରକାରଙ୍କ ଦ୍ୱାରା ପରିଚାଳିତ ମଦ ଦୋକାନ ବନ୍ଦ ହେବା ଦ୍ୱାରା ସହରରେ ଅଧିକ ମଦ ଅଭାବ ହୋଇପାରେ। ବୁଧବାର ଠାରୁ ସମସ୍ତ ୮୫୦ ନୂତନ ବେସରକାରୀ ବିକ୍ରେତା କାର୍ଯ୍ୟ ଆରମ୍ଭ କରିବା ସମ୍ଭବ ନୁହେଁ। ଦିଲ୍ଲୀର ୩୨ଟି ଅଞ୍ଚଳର ସମସ୍ତ ଆବେଦନକାରୀଙ୍କୁ ଲାଇସେନ୍ସ ବଣ୍ଟନ କରାଯାଇଛି। କିନ୍ତୁ ନୂତନ ଏକ୍ସାଇଜ୍ ସିଷ୍ଟମ କାର୍ଯ୍ୟକାରୀର ପ୍ରଥମ ଦିନରେ ପ୍ରାୟ ୩୦୦ରୁ ୩୫୦ ଦୋକାନ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି। ଅଧିକାରୀମାନେ କହିଛନ୍ତି ଯେ, ପ୍ରାୟ ୩୫୦ଟି ମଦ ଦୋକାନକୁ ପ୍ରୋଭିଜନାଲ ଲାଇସେନ୍ସ ପ୍ରଦାନ କରାଯାଇଛି। ମଦର ୨୦୦ରୁ ଅଧିକ ବ୍ରାଣ୍ଡ ପଞ୍ଜିକୃତ ହୋଇଛି ଏବଂ ୧୦ଟି ହୋଲସେଲ ଲାଇସେନ୍ସଧାରୀମାନେ ସପ୍ଲାଇ ଆରମ୍ଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ବ୍ରାଣ୍ଡର ନଅ ଲକ୍ଷ ଲିଟର ମଦ କ୍ରୟ କରିଛନ୍ତି। ଧୀରେ ଧୀରେ ସମସ୍ତ ୮୫୦ଟି ମଦ ଦୋକାନ କାର୍ଯ୍ୟକ୍ଷମ ହେବ ଏବଂ ଏହା ପରେ ମଦର କୌଣସି ଅଭାବ ହେବ ନାହିଁ।
ଜାତୀୟ ରାଜଧାନୀରେ ଥିବା ସମସ୍ତ ସରକାରୀ ମଦ ଦୋକାନ ବନ୍ଦ ରହିବ ଏବଂ ବ୍ୟବସାୟ ସମ୍ପୁର୍ଣ୍ଣ ଭାବରେ ଘରୋଇ ବିକ୍ରେତାଙ୍କୁ ହସ୍ତାନ୍ତର କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ଦିଲ୍ଲୀ ସରକାରଙ୍କ ନୂତନ ଏକ୍ସାଇଜ୍ ନୀତି ଅନୁଯାୟୀ ୨୬୦ଟି ଆଡ ଆଉଟଲେଟ୍ ସମେତ ସମସ୍ତ ୮୫୦ଟି ମଦ ଦୋକାନକୁ ଖୋଲା ଟେଣ୍ଡର ମାଧ୍ୟମରେ ଘରୋଇ ସଂସ୍ଥାକୁ ଦିଆଯାଇଛି। ମଙ୍ଗଳବାର ରାତିରୁ ସରକାରୀ ମଦ ଦୋକାନ ଅଚଳ ହେଉଥିବା ବେଳ ନୂତନ ଲାଇସେନ୍ସଧାରୀମାନେ ବୁଧବାରରୁ ସହରରେ ମଦ ବିକ୍ରୟ ଆରମ୍ଭ କରିବେ।
