ଦେଶରେ ଆଉ ୨୪,୩୫୪ କରୋନା ସଂକ୍ରମିତ ଚିହ୍ନଟ ଓ ୨୩୪ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି । ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଗତ କିଛି ଦିନ ହେଲାଣି ସଂକ୍ରମଣ ୨୦ରୁ ୪୦ହଜାର ଭିତରେ ରହୁଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୨୦୦ ଟପିଛି । ଦେଶରେ ଆରୋଗ୍ୟ ହାର ୯୭.୮୬%। ମୃତ୍ୟୁହାର ୧.୩୩% । ସକ୍ରିୟ ଆକ୍ରାନ୍ତ ହାର ୦.୮୧%। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
ଶନିବାର ଗତ ୨୪ଘଣ୍ଟାରେ ୨୪ହଜାର ୩୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୩୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୨୫ହଜାର ୪୫୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୩୭ଲକ୍ଷ ୯୧ହଜାର ୦୬୧କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୪୮ହଜାର ୫୭୩ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୩୦ଲକ୍ଷ ୬୮ହଜାର ୫୯୯ଜଣ ସୁସ୍ଥ ହୋଇଥିବା ବେଳେ ୨ଲକ୍ଷ ୭୩ହଜାର ୮୮୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଏଯାବତ୍ ସମୁଦାୟ ୮୯.୭୪ କୋଟି ଟିକା ଦିଆ ସରିଲାଣି। ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୮୯,୭୪,୮୧,୫୫୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୬୯,୩୩,୫୫୪ ଡୋଜ୍ ଟିକା। ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଅକ୍ଟୋବର ୧ ତାରିଖ ସୁଦ୍ଧା ସମୁଦାୟ ୫୭,୧୯,୯୪,୯୯୦ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୪,୨୯,୨୫୮ଟି ନମୁନା।
