ରାଜ୍ୟରେ କରୋନା ଆକ୍ରାନ୍ତ ଆଉ ୬୪ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୨,୦୭୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସର୍ଵାଧିକ ୬୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨ ଜଣ ରହିଥିବା ବେଳେ ବରଗଡରୁ ୧୦, ବାଲେଶ୍ୱରରୁ ୮, ସୁନ୍ଦରଗଡରୁ ୭, ଗଞ୍ଜାମରୁ ୬, କନ୍ଧମାଳ ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ, ବୌଦ୍ଧ, କଳାହାଣ୍ଡି, କେନ୍ଦ୍ରାପଡା, ମୟୂରଭଞ୍ଜ, ନୂଆପଡା, ପୁରୀ, ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୯୨୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୯,୪୯,୯୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୨୩,୨୦୯ ଜଣ ସୁସ୍ଥ ହୋଇଥିବା ବେଳେ ୨୧,୭୪୨ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୪,୯୨୫ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।
