ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ଚଡକ! ଆଜିଠୁ ମହଙ୍ଗା ହେବ ୮୦୦ ପ୍ରମୁଖ ଅତ୍ୟାବଶ୍ୟକୀୟ ଔଷଧ
ନୂଆଦିଲ୍ଲୀ : ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ଗୋଟିଏ ପରେ ଚଡକ। ତେଲ, ଗ୍ୟାସ, ପେଟ୍ରୋଲ-ଡିଜେଲ ପରେ ଏବେ ଅତ୍ୟାବଶ୍ୟକୀୟ ଔଷଧ ମହଙ୍ଗା ହେବାକୁ ଯାଉଛି। ଏପ୍ରିଲରୁ ଥଣ୍ଡା, ଉଚ୍ଚ ରକ୍ତଚାପ, ପେନକିଲର, ଆଣ୍ଟିବାୟୋଟିକ୍, ଆଣ୍ଟି-ଇନଫେକ୍ଟିଭ୍ ପରି ୮୦୦ରୁ ଊର୍ଦ୍ଧ୍ୱ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଔଷଧରେ ସରକାର ୧୦%ରୁ ଅଧିକ ମୂଲ୍ୟ ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି।
ଭାରତର ଔଷଧ ମୂଲ୍ୟ ନିର୍ଧାରଣ କର୍ତ୍ତୃପକ୍ଷ (ଏନପିପିଏ) ଶୁକ୍ରବାର ୮୦୦ରୁ ଊର୍ଦ୍ଧ୍ୱ ଅତ୍ୟାବଶ୍ୟକୀୟ ଔଷଧର ମୂଲ୍ୟ ୧୦.୭% ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ଏହା ସର୍ବାଧିକ ମୂଲ୍ୟ ବୃଦ୍ଧି ଅନୁମତି। ନ୍ୟାସନାଲ ଲିଷ୍ଟ ଅଫ୍ ଏସେନସିଆଲ୍ ମେଡିସିନ୍ (ଏନଏଲଇଏମ) ଅଧୀନରେ ୮୦୦ରୁ ଅଧିକ ଔଷଧର ମୂଲ୍ୟ ଏପ୍ରିଲରୁ ବୃଦ୍ଧି ପାଇବ। ଏନଏଲଇଏମ ତାଲିକାରେ ପାରାସିଟାମୋଲ, ଆଣ୍ଟିବାୟୋଟିକ୍, ସଂକ୍ରମଣ, ଆଣ୍ଟି-ଆନେମିଆ, ଭିଟାମିନ୍ ଏବଂ ମିନେରାଲ୍ସ ଭଳି ଔଷଧ ଅନ୍ତର୍ଭୁକ୍ତ। ମଧ୍ୟମରୁ ଗୁରୁତର ଅସୁସ୍ଥ କୋଭିଡ୍ ରୋଗୀ ଏବଂ ଷ୍ଟେରଏଡ ଚିକିତ୍ସା ପାଇଁ ବ୍ୟବହୃତ କେତେକ ଔଷଧ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ବର୍ତ୍ତମାନ ଏହି ସବୁ ଔଷଧର ମୂଲ୍ୟ ନିୟନ୍ତ୍ରଣରେ ଅଛି। ତେବେ ଏହି ବୃଦ୍ଧି ହୋଲସେଲ ମୂଲ୍ୟ ସୂଚକାଙ୍କ ( ଡବ୍ଲୁପିଆଇ) ସହିତ ମେଳ ଖାଉଛି ବୋଲି ଏନପିପିଏ କହିଛି। ଅର୍ଥନୈତିକ ପରାମର୍ଶଦାତା, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଡବ୍ଲୁପିଆଇ ତଥ୍ୟ ଉପରେ ଆଧାର କରି ଔଷଧ ମୂଲ୍ୟ ୧୦.୭୬୬୦୭% ବୃଦ୍ଧି କରାଯାଇଛି ବୋଲି ଏନପିପିଏର ବିଜ୍ଞପ୍ତିରେ କୁହାଯାଇଛି। ଔଷଧ ମୂଲ୍ୟ ନିୟନ୍ତ୍ରକ ଦ୍ୱାରା ପ୍ରତିବର୍ଷ ଧାର୍ଯ୍ୟ ଔଷଧର ମୂଲ୍ୟ ବୃଦ୍ଧି ଅନୁମତି ଦିଆଯାଏ। ମହାମାରୀ ହେତୁ କ୍ଷତିରେ ଚାଲୁଥିବା ଔଷଧ ଶିଳ୍ପ ଦର ବୃଦ୍ଧି ଦାବି କରିଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ ଫାର୍ମା କମ୍ପାନୀମାନେ ତାକୁ ସ୍ୱାଗତ କରିଛନ୍ତି।
ଡ୍ରଗ୍ସ ଅର୍ଡର ୨୦୧୩ ଅନୁସାରେ କାର୍ଯ୍ୟାୟନୁଷ୍ଠାନ ନିଆଯାଇଥିବା ଏନପିପିଏ କହିଛି। ତେବେ ନଭେମ୍ବରରେ, ୧୦୦୦ରୁ ଅଧିକ ଭାରତୀୟ ଫାର୍ମାସ୍ୟୁଟିକାଲ୍ ଉତ୍ପାଦକଙ୍କ ପ୍ରତିନିଧିତ୍ୱ କରୁଥିବା ଏକ ଲବି ଗୋଷ୍ଠୀ ସରକାରଙ୍କୁ ଅନୁରୋଧ କରିଥିଲେ ଯେ, ତୁରନ୍ତ ପ୍ରଭାବ ସହିତ ସମସ୍ତ ନିର୍ଦ୍ଧାରିତ ଔଷଧ ମୂଲ୍ୟ ୧୦% ବୃଦ୍ଧି କରିବାକୁ ଅନୁମତି ଦିଅନ୍ତୁ। ସମସ୍ତ ଅଣ-ନିର୍ଦ୍ଧାରିତ ଐଷଧର ମୂଲ୍ୟକୁ ୨୦% ବୃଦ୍ଧି କରିବାକୁ ମଧ୍ୟ କୁହାଯାଇଥିଲା। ଏଆଇଡିଏଏନ ସହିତ ଜଡିତ ଥିବା ଚିନୁ ଶ୍ରୀନିବାସନ୍ କହିଛନ୍ତି ଯେ, ମୋଟ ଫାର୍ମା ବଜାରର ପ୍ରାୟ ୧୬% ମୂଲ୍ୟ ନିୟନ୍ତ୍ରଣରେ ଥିବା ଔଷଧର ମୂଲ୍ୟ ୧୦% ବୃଦ୍ଧି ପାଇବ।
ଶିଳ୍ପ ବିଶେଷଜ୍ଞଙ୍କ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ କିଛି ପ୍ରମୁଖ ଏପିଆଇର ମୂଲ୍ୟ ୧୫%ରୁ ୧୩୦%କୁ ବୃଦ୍ଧି ପାଇଛି। ପାରାସିଟାମୋଲର ମୂଲ୍ୟ ୧୩୦% ବୃଦ୍ଧି ପାଇଛି। ସେହିଭଳି, excipients ମୂଲ୍ୟ ୧୮% -୨୬୨% ମଧ୍ୟରେ ବୃଦ୍ଧି ପାଇଛି। ଗ୍ଲାଇସେରିନ୍ ଏବଂ ପ୍ରୋପିଲିନ୍ ଗ୍ଲାଇକଲ୍, ସିରପ୍, ଓରାଲ ଡ୍ରପ୍ ଏବଂ ଷ୍ଟେରାଇଲ୍ ପ୍ରସ୍ତୁତି ସହିତ ପ୍ରତ୍ୟେକ ତରଳ ପ୍ରସ୍ତୁତିରେ ବ୍ୟବହୃତ ଦ୍ରବଣର ମୂଲ୍ୟ ଯଥାକ୍ରମେ ୨୬୩% ଏବଂ ୮୩% ବୃଦ୍ଧି ପାଇଛି। ପେନ୍ସିଲିନ୍ ଜି ପରି ଔଷଧର ମୂଲ୍ୟର ୧୭୫% ମହଙ୍ଗା ହୋଇଛି।
ଅନ୍ୟପଟେ ଔଷଧର ମୂଲ୍ୟ ବୃଦ୍ଧି ଯୋଗୁଁ ବିଶେଷ କରି ଗରିବ ଓ ମଧ୍ୟବିତ୍ତ ପରିବାର ଅଧିକ ପ୍ରଭାବିତ ହେବେ। କୋରୋନା ପାଇଁ ଏମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଏହି ସମୟରେ ଜୀବନ ମହଙ୍ଗା ହେବା ସେମାନଙ୍କ ପାଇଁ ଏକ ପ୍ରକାରର ବୋଝ ଉପରେ ନଳିତା ବିଡା ଭଳି ହେବ। ସ୍ୱଳ୍ପ ଆୟରେ ଗରିବ ଓ ମଧ୍ୟବିତ୍ତ ପରିବାର ଚଳିବ ନା ରୋଗରୁ ମୁକ୍ତି ପାଇବା ପାଇଁ ମୋଟା ଅଙ୍କ ଖର୍ଚ୍ଚ କରିବେ। ଏପ୍ରିଲରୁ ଥଣ୍ଡା, ଜ୍ୱର ହେଲେ ମଧ୍ୟ ଏହି ବର୍ଗ ଔଷଧ କିଣିବା ପୂର୍ବରୁ ତିନି ଥର ଭାବିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇରେ Carbamazepine, Ranitidine and Ibuprofen ପରି ଔଷଧର ମୂଲ୍ୟକୁ ୫୦% ବୃଦ୍ଧି କରିବାକୁ ଏନପିପିଏ ଅନୁମତି ଦେଇଥିଲା। ମୂଲ୍ୟ ବୃଦ୍ଧି ସୂଚୀରେ ଥିବା ପ୍ରାୟତଃ ଔଷଧକୁ ସରକାର କିଣିଥାନ୍ତି ଏବଂ ସେଗୁଡିକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ପିଟାଲଙ୍କୁ ବିତରଣ କରାଯାଏ। ଆଉ ହସ୍ପିଟାଲମାନେ ରୋଗୀଙ୍କୁ ସେହି ଔଷଧ ମାଗଣାରେ ଦିଅନ୍ତି। କିନ୍ତୁ ଆଜି ମଧ୍ୟ ଏପରି ଅନେକ ଦୁର୍ଗମ ଅଞ୍ଚଳ ଅଛି ଯେଉଁଠି ସରକାରୀ ସ୍ୱାସ୍ଥ୍ୟସେବା ପହଞ୍ଚିପାରିନାହିଁ।
