ବଦଳିଲା ଥୁମ୍ବିକାଠ, ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମନ୍ଦିର ବିଜେ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା ଆସନ୍ତାକାଲି ଠାରୁ ଆରମ୍ଭ ହେବ । ଚନ୍ଦନେଶ୍ୱର ମହାଦେବଙ୍କ ନୀଳ ପୋଖରୀରେ ଥିବା ଦୁଇଟି ଭଗ୍ନ ପୁରୁଣା ଥୁମ୍ବିକାଠକୁ ଶହେ ବର୍ଷ ପରେ ବଦଳାଯିବ । ଏଥିସକାଶେ ଚନ୍ଦନେଶ୍ୱର ଜୀଉଙ୍କ ଆଜ୍ଞାମାଳ ନେଇ ସେବାୟତମାନେ ସୁଦୂର ଜଳେଶ୍ୱର ବ୍ଲକ ରାଇବଣିଆ ସ୍ଥିତ ପାଣିଗାଁ ଭକ୍ତ ବୀରକିଶୋର ଦାସଙ୍କ ବାଡ଼ିରୁ ଦୁଇଟିି ଶାଳଗଛ ଚିହ୍ନଟ ପରେ ପୂଜାର୍ଚ୍ଚନା କରି ଗଛକୁ କଟାଯାଇ ରବିବାର ପୂର୍ବାହ୍ନରେ ମନ୍ଦିରକୁ ଅଣାଯାଇଛି ।

ଚନ୍ଦନେଶ୍ୱର ପେଟ୍ରୋଲ ପମ୍ପ ଠାରୁ ଦୁଇ ଥୁମ୍ବିକାଠକୁ ପୂଜାର୍ଚ୍ଚନା କରାଯିବା ସହିତ ଢାକ, ଢୋଲ, ଶାହାନାଇ, ଝାଲିଘଣ୍ଟା, କୀର୍ତ୍ତନ, ଶଙ୍ଖବାଦ୍ୟ ସହ ଶିବଙ୍କ ସ୍ରୋତ ପାଠ କରାଯାଇ ସେବାୟତ, ପୂଜାରୀ, ଟ୍ରଷ୍ଟବୋର୍ଡ଼ର ସଦସ୍ୟ ଓ ଶ୍ରଦ୍ଧାଳୁମାନେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମନ୍ଦିର ବିଜେ କରିଛନ୍ତି । ଟ୍ରଷ୍ଟବୋର୍ଡ଼ର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ, ମୌରସୀ ତପନ କୁମାର ପଣ୍ଡା, ସେବାୟତ ବୁଦ୍ଧଦେବ ପଣ୍ଡା, ବ୍ଲକ ଚେୟାରମ୍ୟାନ୍ ପ୍ରବୀର କୁମାର ଗିରି, ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ଗଣପତି ଗିରି, ପୂର୍ବତନ ଜିଲାପରିଷଦ ସଦସ୍ୟ ଦେବାଶିଷ ଚନ୍ଦ, ସମିତିସଦସ୍ୟ ଗୋବିନ୍ଦ ଦାସ, ସରପଞ୍ଚ ଅରୁଣ ଗିରିଙ୍କ ସମେତ ସମସ୍ତ ସେବାୟତ, ପୂଜାରୀ ଓ ଶ୍ରଦ୍ଧାଳୁମାନେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ ।
