ଚୋରୀ କରି ଖୁଣ୍ଟରେ ବନ୍ଧାହେଲେ ୩ ଯୁବକ
ଅନୁଗୁଳ : ଚୋରୀ କରି ଖୁଣ୍ଟରେ ବନ୍ଧାହେଲେ ୩ ଯୁବକ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଡିଏମାଇଲ ଛକରେ ଘଟିଛି ଘଟଣା । ୨ଟି ଦୋକାନରୁ ଚୋରୀ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ୩ ଯୁବକ ବିଦ୍ୟୁତ ଖୁଣ୍ଟରେ ବନ୍ଧା ହୋଇଛନ୍ତି।
ଖବର ଅନୁଯାୟୀ, ରାତି ୨ଟାରେ କୋଡିଏମାଇଲ ହାଟ ଛକରେ ୩ ଜଣ ଅପରିଚିତ ଯୁବକ ଆସି ଯୁଗଳ ସାହୁଙ୍କ ହୋଟେଲ ଓ ନଗେନ ପ୍ରଧାନଙ୍କ ପାନ ମସଲା ଦୋକାନରେ ପଶି ଚୋରୀ କରୁଥିଲେ। ଶୋଇଥିବା ଦୋକାନୀର ପାଟି ଶୁଣି ଲୋକମାନେ ରୁଣ୍ଡ ହୋଇ ଚୋରୀ କରୁଥିବା ୩ ଯୁବକଙ୍କୁ କାବୁ କରି ଦେଇଥିଲେ । ଏହାପରେ ନିକଟରେ ଥିବା ବିଦ୍ୟୁତଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ୩ ଯୁବକଙ୍କୁ ଉଦ୍ଧାର କରିବା ସହ ବାଇକ, ୩ଟି ମୋବାଇଲ ଓ ଗୋଟିଏ ଭୁଜାଲି, ବିଭିନ୍ନ ବ୍ୟାଙ୍କ ଏଟିଏମ୍ କାର୍ଡ ଜବତ କରିଛି ।
