ଲେବଲ୍ କ୍ରସିଂ ପାରି ବେଳେ ଟ୍ରେନ ଧକ୍କାରେ ୩ ଶ୍ରମିକ ମୃତ
ବ୍ରହ୍ମପୁର : ବ୍ରହ୍ମପୁର ହଳଦିଆପଦର ଲେବୁଲ କ୍ରସିଂ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେନ୍ ଧକ୍କାରେ ୩ ମୃତ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନ୍ୟ ୪ ଜଣ ଶ୍ରମିକ । ଲେବଲ କ୍ରସିଂ ପାର ହେଉଥିବା ବେଳେ ଧକ୍କା ଦେଇଥିଲା ଟ୍ରେନ୍ । ରବିବାର ବିଳମ୍ବିତ ରାତିରେ ବିଶାଖା-ଟାଟା ନଗର ଡାଉନ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୃତାହତଙ୍କ ପରିଚୟ ମିଳିନଥିବା ବେଳେ ସମସ୍ତେ ରାଜ୍ୟ ବାହାରର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପହଞ୍ଚିଛି ଜିଆରପି ।
ବ୍ରହ୍ମପୁର ରେଳ ଷ୍ଟେସନ ନିକଟ ହଳଦିଆ ପଦର ଲେବେଲ କ୍ରସିଂ ଠାରେ ଏକ ଚଳନ୍ତା ଟ୍ରେନ ଧକ୍କାରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନଥିଲେ ମଧ୍ୟ ସେମାନେ ଛତିଶଗଡ ରାଜ୍ୟର ବୋଲି ଶୁଣିବାକୁ ମିଳିଛି । ଜିଆରପି ଥାନା ପୁଲିସ ଘଟଣା ସ୍ଥାଳରେ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ସୂଚନା ପ୍ରକାରେ ମୃତ ୩ ଶ୍ରମିକ ହଳଦିଆ ପଦର ଠାରେ ଜାତୀୟ ରାଜପଥ୧୬ ଉପରେ ନିର୍ମାଣ ଚାଲିଥିବା ଓଭରବ୍ରିଜ କାଯ୍ୟରେ ନିୟୋଜିତ ହୋଇଥିଲେ । ରବିବାର ରାତିରେ ୭ ଜଣ ଶ୍ରମିକ ମିଶି ନିଜ ଘରକୁ ଯିବାପାଇଁ ହଳଦିଆ ପଦର ରେଳ ଧାରଣା କଡେ କଡେ ଚାଲି ଚାଲି ବ୍ରହ୍ମପୁର ଷ୍ଟେସନକୁ ଯାଉଥିଲେ । ରାତି ସାଢ଼େ ୧୧ ଟା ବେଳେ ସେମାନେ ରେଳ ଧାରଣାର ଅତି ନିକଟ ଦେଇ ଆଗକୁ ବଢୁଥିବା ବେଳେ ପଛପଟୁ ଆସୁଥିବା ବିଶାଖାପାଟଣା-ଟାଟା ନଗର ଟ୍ରେନଟି ୩ ଜଣ ଶ୍ରମିକଙ୍କୁ ଧକା ଦେଇଥିଲା । ଫଳରେ ସେହି ୩ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଘଟଣା ପରେ ଅନ୍ୟ ୪ ଜଣ ଶ୍ରମିକ ସେଠାରୁ କେଉଁଆଡେ ଫେରାର ହୋଇ ଯାଇଥିବା ଶୁଣିବାକୁ ମିଳିଛି । ଜିଆରପି ଥାନା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
