ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ତାଲିକା ପ୍ରକାଶ : ୨ଲକ୍ଷ ୨୦ହଜାର ୪୧୪ ପ୍ରାର୍ଥୀ ଯୋଗ୍ୟ, ୮୬୪୮ ନାମାଙ୍କନ ନାକଚ
ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସରପଂଚ, ପଂଚାୟତ ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ ଓ ୱାର୍ଡ ମେମ୍ବର ଆଶାୟୀ ପ୍ରାର୍ଥୀ ଦାଖଲ କରିଥିବା ନାମାଙ୍କନପତ୍ରଗୁଡ଼ିକ ଯାଂଚ ପରେ ଆଜି ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶ ପାଇଛି । ରାଜ୍ୟରେ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ୨ଲକ୍ଷ ୨୦ ହଜାର ୪୧୪ ପ୍ରାର୍ଥୀ ଯୋଗ୍ୟ ହୋଇଛନ୍ତି । ସେହିପରି ଆଗାମୀ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୮୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି ।
ରାଜ୍ୟ ନିର୍ବାଚନ କମିସନର ସଚିବ ଦେଇଥିବା ସୂଚନା ଅନୁଯାୟୀ ପ୍ରାର୍ଥୀପତ୍ର ଯାଂଚ ପରେ ଏବେ ମୋଟ ୨ ଲକ୍ଷ ୨୦ ହଜାର ୪୧୪ ଜଣ ପ୍ରାର୍ଥୀ ନିର୍ବାଚନରେ ଲଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେଥିମଧ୍ୟରୁ ୱାର୍ଡମେମ୍ବର ପାଇଁ ସର୍ବାଧିକ ୧ ଲକ୍ଷ ୫୬ ହଜାର ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ୭୫୩, ସରପଂଚ ପାଇଁ ୩୨ ହଜଜାର ୮୬୦, ସମିତି ସଭ୍ୟ ପାଇଁ ୨୭ ହଜାର ୩୪ ଓ ଜିଲା ପରିଷଦ ସଭ୍ୟ ପାଇଁ ୩ହଜାର ୭୬୭ ଜଣ ପ୍ରାର୍ଥୀ ଆଗାମୀ ପଂଚାୟତ ନିର୍ବାଚନରେ ଲଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ଆଗାମୀ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୮୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି । ସେଥିମଧ୍ୟରେ ୱାର୍ଡମେମ୍ବର ପାଇଁ ନାମାଙ୍କନ ଦାଖଲ କରିଥିବା ୫୫୪୪ ଜଣ, ସରପଂଚ ପାଇଁଁ ୧୭୫୩, ପଂଚାୟତ ସମିତି ପାଇଁ ୧୧୧୯ ଜଣ ଓ ଜିଲା ପରିଷଦ ସଭ୍ୟ ପାଇଁ ୨୩୨ ଜଣ ଅଛନ୍ତି । ରାଜ୍ୟ ନିର୍ବାଚନ କମିସନରଙ୍କ ସଚିବ ଏହି ସୂଚନା ଦେଇଛନ୍ତି ।
ସୂଚନା ଯେ, ପଂଚାୟତ ନିର୍ବାଚନ ପାଇଁ ଗତ ୨୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା । ରାଜ୍ୟର ୩୦ ଜିଲାରେ ମୋଟ୍ ୨ ଲକ୍ଷ ୨୯ ହଜାର ୬୨ ଜଣ ୱାର୍ଡମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ୱାର୍ଡମେମ୍ବର ପାଇଁ ସର୍ବାଧିକ ୧ଲକ୍ଷ ୬୨ ହଜାର ୨୯୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସରପଂଚ ପାଇଁ ୩୪ ହଜାର ୬୧୩ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ସମିତି ସଭ୍ୟ ପାଇଁ ୨୮ ହଜାର ୧୫୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ସେହିପରି ଜିଲା ପରିଷଦ ସଭ୍ୟ ପାଇଁ ୩ ହଜାର ୯୯୯ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସୂଚନାଯୋଗ୍ୟ, ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ରେ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟିଂ ହେବ । ପ୍ରଥମ ଥର ପାଇଁ ଏଥର ବ୍ଲକ ସଦର ମହକୁମାରେ ଭୋଟ୍ ଗଣତି ହେବ । ଫେବ୍ରୁଆରି ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା ହେବ । ୨କୋଟି ୭୯ଲକ୍ଷ ୩୫ହଜାର ୫୨୦ଜଣ ମତଦା?ତା ୯୧,୯୧୩ ୱାର୍ଡମେମ୍ବର, ୬୭୯୪ ସରପଂଚ, ୬୭୯୩ ପଂଚାୟତ ସମିତି ସଭ୍ୟ ଓ ୮୫୩ ଜିଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବେ ।
