ଲକ୍ଷ୍ମୀପୁର ହିଂସାକାଣ୍ଡରେ ଆଉ ୩ ଗିରଫ
ଲକ୍ଷ୍ମୀପୁର : ଜନପଦରେ ଘଟିଥିବା ହିଂସାକାଣ୍ଡରେ କ୍ରାଇମବ୍ରାଂଚ ଟିମ୍ ଆଉ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ସମେତ ୧୩ ଜଣଙ୍କୁ ଗିରଫ କରାଯାଇଛି । ଶନିବାର ଏହାକୁ ନିଶ୍ଚିତ କରି ଏସଆଇଟି ଟିମର ଜଣେ ଅତିରିକ୍ତ ପୋଲିସ ଅଧିକ୍ଷକ ଅରୁଣ କୁମାର କହିଛନ୍ତି ଯେ, ଗିରଫ ଅଭିଯୁକ୍ତଙ୍କୁ ପଚରାଉଚୁରା ବେଳେ ଅନେକ ଲୋକଙ୍କ ନାମ ସାମ୍ନାକୁ ଆସିଛି । ବର୍ତମାନ ସେମାନଙ୍କ ଗିରଫଦାରୀକୁ ତ୍ୱରାନ୍ୱିତ କରାଯାଇଛି । ଏହି ଧାରାବାହିକରେ କ୍ରାଇମବ୍ରାଂଚ ଏବଂ ସ୍ୱାଟ ଟିମ ଗତକାଲି ରାତିରେ ଅଭିଯୁକ୍ତ ମୋହିତ ତ୍ରିବେଦୀ, ରିଙ୍କୁ ରାଣା ଏବଂ ଧର୍ମେନ୍ଦ୍ରଙ୍କୁ ଗିରଫ କରିଛି ।
ଅଭିଯୋଗ ହୋଇଛି ଯେ, ଏହି ଘଟଣା ସମୟରେ ତିନିଜର ସ୍କର୍ପିଓ ଗାଡ଼ିରେ ଥିଲେ । ଏହି ତିନି ଅଭିଯୁକ୍ତଙ୍କୁ ଶନିବାର କୋର୍ଟରେ ହାଜର କରାଯାଇଥିଲା । ଏହି ତିନିଜଣଙ୍କୁ ପଚରା ଉଚୁରା ପାଇଁ କୋର୍ଟରୁ ୧୪ ଦିନିଆ ରିମାଣ୍ଡ ଆବେଦନ କରାଯିବ । ଏଏସପି କହିଛନ୍ତି ଯେ, ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର, ଅଂକିତ ଦାସଙ୍କ ସମେତ ୧୩ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟମାନଙ୍କୁ ମଧ୍ୟ ଶିଘ୍ର ଗିରଫ କରାଯିବ ।
