ଆଇଜିଆଇକୁ ବମରେ ଉଡାଇବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା
- ଅଲକାୟଦା ନାମରେ ଆସିଛି ଇ-ମେଲ୍
ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନବନ୍ଦର(ଆଇଜିଆଇ)କୁ ବୋମା ପକାଇ ଉଡାଇ ଦେବାକୁ ମିଳିଛି ଧମକ । ଏହି ଧମକ ମିଳିବା ପରେ ଏଠାରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସ୍ୱାଧିନତା ଦିବସ ପୂର୍ବରୁ ଦିଲ୍ଲୀ ବିମାନ ବନ୍ଦରକୁ ଉଡାଇ ଦେବାକୁ ଧମକ ମିଳିଥିବାରୁ ସୁରକ୍ଷା ଏଜେନ୍ସୀ ଗୁଡିକ ଆଲର୍ଟ ହୋଇଉଠିଛନ୍ତି । ବିମାନବନ୍ଦରକୁ ଯାତାୟାତ କରୁଥିବା ସନ୍ଦିଗ୍ଧ ମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ଯଦି କେହି ସନ୍ଦେହ ଘେରକୁ ଆସୁଛନ୍ତି, ତେବେ ତାଙ୍କୁ ତୁରନ୍ତ ପଚରା ଉଚରା କରାଯାଉଛି ଏବଂ ତାଙ୍କର ତଲାସୀ କରାଯାଉଛି ।
ଦିଲ୍ଲୀ ପୋଲିସକୁ ଏକ ଇ ମେଲ୍ ଜରିଆରେ ଅଲକାୟଦା ନାମରେ ଏହି ଧମକ ଆସିଛି । ଶନିବାର ସଂନ୍ଧ୍ୟାରେ ଏହି ଧମକପୂର୍ଣ୍ଣ ଇ ମେଲ୍ ମିଳିଛି । ଏହାପରେ ପୋଲିସ ପକ୍ଷରୁ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଏୟାରପୋର୍ଟର ସୁରକ୍ଷା ଦାୟୀତ୍ୱରେ ଥିବା ସିଆଇଏସଏଫକୁ ଅଧିକ ସତର୍କ ରହିବାକୁ କୁହାଯାଇଛି ।


