ଡଗରା,ଚଉମୁଖ ଓ ଚାନ୍ଦମଣିରେ ବାରୁଣୀ ସ୍ନାନ କଲେ ହଜାର ହଜାର ଶ୍ରଦ୍ଧାଳୁ
ବାଲିଆପାଳ : ବାଲିଆପାଳ ବ୍ଲକ ଡଗରା, ଚଉମୁଖ ଓ ଚାନ୍ଦମଣି ଠାରେ ସମୁଦ୍ର ବେଳାଭୂମିରେ ରବିବାର ବାରୁଣୀ ସ୍ନାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡଗରା ବେଳାଭୂମିରେ ପଚାଶ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଚାନ୍ଦ ମଣି ବେଳା ଭୂମିରେ କୁଡିଏ ହଜାରରୁ ଅଧିକ ଜନ ସମାବେଶ ହୋଇଥିବାର ଦେଖିବାକୁ ମିଳିଥିଲା।ସେହିପରି ବହୁବର୍ଷଧରି ଚଉମୁଖ ଠାରେ ବାରୁଣୀ ଯାତ୍ରା ହୋଇ ଆସୁଥିଲା।ମାତ୍ର ଡଗରା ଓ ଚଉମୁଖକୁ ନେଇ ବିବାଦ ପରେ ଚଉମୁଖ ବାରୁଣୀ ମେଳାର ପ୍ରଭାବ କମିଯାଇଥିବା ବେଳେ ଚଳିତ ବର୍ଷ ଏଠାରେ ଆଡମ୍ବର ସହକାରେ ବାରୁଣୀ ମେଳା ଚାଲିଛି।ଏଠାରେ ପାଞ୍ଚ ଦିନ ଧରି ମେଳା ଚାଲିବାର ଜଣା ଯାଇଛି।ସମସ୍ତ ସ୍ଥାନରେ ଆଜି ବଡ଼ି ଭୋରରୁ ବହୁ ଜନ ସମାଗମ ଦେଖିବାକୁ ମିଳିଥିଲା।
କଥା ଅଛି ବାରୁଣୀ ଦିନ ମହୋଦଧିରେ ସ୍ନାନକଲେ କୋଟିପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ସେହି ବିଶ୍ଵାସ ରେ ଶନିବାର ରାତିରୁ ବାରୁଣୀ ସ୍ନାନ ପାଇଁ ହଜାର ହଜାର ଲୋକ ସମସ୍ତ ସ୍ଥାନରେ ନିଜ ନିଜର ସୁବିଧା ଅନୁସାରେ ବେଳା ଭୂମିରେ ଆସି ପହଞ୍ଚିଥିଲେ।ବ୍ରାହ୍ମମୁହୁର୍ତ୍ତରୁ ଶ୍ରଦ୍ଧାଳୁମାନେ ବେଳା ଭୂମିରେ ବାଲୁକା ସ୍ଥାପନ କରି ସୂର୍ୟ୍ୟପୂଜା କରିବା ସହ ମହୋଦଧି ରେ ବୁଡ଼ ପକାଇଥିଲେ।ସ୍ନାନ ପରେ ଅନେକ ଶ୍ରଦ୍ଧାଳୁ ଦାନଧର୍ମ କରିଥିବା ଦେଖିବାକୁ ମିଳିଥିଲା। ଏହିଅବସର ରେ ସମୁଦ୍ରକୂଳରେ ଲାଗିଥିବା ମେଳାରେ ଘରକରଣା ଜିନିଷ ଠାରୁ ଆରମ୍ଭ କରି ଅନେକ ପ୍ରକାର ଖାଦ୍ୟ ସାମଗ୍ରୀର ପସରା ମଧ୍ୟ ଖୋଲିଥିଲା । ଭିଡ଼କୁ ଦେଖି ବିଭିନ୍ନ ଛକରେ ସ୍ଵେଚ୍ଛାସେବୀ ସଙ୍ଗଠନ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଜଳଛତ୍ର ଖୋଲିବା ସହିତ ରାସ୍ତାରେ ଭିଡ ନକରିବା ପାଇଁ ସଚେତନ କରୁଥଲେ।ପାଗ ମେଘୁଆ ଥିବାରୁ ଅପରାହ୍ନ ପର୍ୟ୍ୟନ୍ତ ମେଳାରେ ଲୋକଙ୍କ ଭିଡ଼ ଲାଗି ରହିଥିଲା । ମେଳା କମିଟିର ସଦସ୍ୟମାନେ ବାରୁଣୀ ଯାତ୍ରା ପରିଚାଳନା ଦାୟିତ୍ବ ତୁଲାଇଥିଲେ। ସ୍ନାନ ସମୟରେ କୌଣସି ପ୍ରକାରର ଅଘଟଣ ରୋକିବା ଓ ମେଳା ଏବଂ ରାସ୍ତାରେ ଯାଆସ ବ୍ୟବସ୍ଥା ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବାଲିଆପାଳ ଥାନ ପୁଲିସ ଓ ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଶାରଦା ପ୍ରସନ୍ନ ମୁଦୁଲି ଙ୍କ ସହିତ ପୁଲିସ ଫୋର୍ସ ସହିତ ସମସ୍ତ ସ୍ଥାନରେ ପୁଲିସ ସଜାଗ ରହି ଶାନ୍ତି ଶୃଙ୍ଖଳାର ସହିତ ବାରୁଣୀ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
