ଚଳିତବର୍ଷର ସର୍ବାଧିକ ଦୈନିକ ସଂକ୍ରମଣ ରେଡର୍କ : ଆଉ ୩,୦୯୫ ସଂକ୍ରମିତ ଓ ୫ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ୩ ହଜାରରୁ ଅଧିକ ରହୁଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୦୯୫ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିବା ବେଳେ ଏହା ଚଳିତ ବର୍ଷର ସର୍ବାଧିକ ଦୈନିକ ସଂକ୍ରମଣ ଭାବେ ରେଡର୍କ ହୋଇଛି । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପି ଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୦୯୫ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୧୫,୭୮୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୮୬୭କୁ ବୃଦ୍ଧି ପାଇଛି। ଆଜି ଗୁଜରାଟ ଓ ଗୋଆରେ ଗୋଟିଏ ଲେଖାଏଁ ମୃତ୍ୟୁ ରିପୋର୍ଟ କରିଥିବା ବେଳେ ପିଛିଲା ଭାବେ କେରଳ ୩ଟି ମୃତ୍ୟୁ ସାମିଲ କରିଛି। ଦେଶରେ ଦୈନିକ କୋଭିଡ୍-୧୯ ‘ପଜିଟିଭିଟି’ ହାର ୨.୬୧% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୧.୯୧% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୬୯,୭୧୧। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୮% ରହିଛି। ଏହାବାଦ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୫୦୯କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୩%।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୨୦,୬୫,୯୯,୦୩୪ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୮ ହଜାର ୬୯୪ ନମୂନା ପରୀକ୍ଷା କରାଯାଇଛି।
