ଏଥର ହେବନି ଛାତ୍ର ସଂସଦ ନିର୍ବାଚନ! ବିକଳ୍ପ ‘କ୍ୟାମ୍ପସ କମିଟି’
ଭୁବନେଶ୍ବର : ଏଥର ହେଵନି ଛାତ୍ର ସଂସଦ ନିର୍ବାଚନ । ତଥାପି କ୍ୟାମ୍ପସ ରାଜନୀତି ସରଗରମ ହୋଇଉଠିଲାଣି। ପ୍ରାୟ ସମସ୍ତ କଲେଜ କ୍ୟାମ୍ପସରେ ଛାତ୍ର ରାଜନୀତିର ଉଷ୍ମତା ବେଶ୍ ପରିଲକ୍ଷିତ ହେଲାଣି। କାରଣ ସେପ୍ଟେମ୍ବର ୨୦ ସୁଦ୍ଧା ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ କମିଟି ଗଠନ କରିବାକୁ ଛାତ୍ର ବିଜେଡି ଘୋଷଣା କରିଛି। ଏହାକୁ ଦେଖି ଏବିଭିପି ଓ ଛାତ୍ର କଂଗ୍ରେସ ମଧ୍ୟ ସକ୍ରିୟ ହୋଇଉଠିଛନ୍ତି। ଛାତ୍ର କଂଗ୍ରେସ ଇତିମଧ୍ୟରେ କିଛି କଲେଜ କ୍ୟାମ୍ପସରେ କମିଟି ଗଠନ କରିଛି ଏବଂ ଏବିଭିପି ମଧ୍ୟ ଅନୁରୂପ ଭାବେ ସଭ୍ୟ ସଂଗ୍ରହ ସହ କ୍ୟାମ୍ପସ ୟୁନିଟ୍ ଗଠନ କରି ଛାତ୍ରଛାତ୍ରୀଙ୍କ ସମସ୍ୟାରେ ଭାଗିଦାର ହେବାକୁ ଯୋଜନା ପ୍ରସ୍ତୁତ କରିଛି।
ଖବର ଅନୁସାରେ, ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ବିଜେଡି ୨୨ ଜଣିଆ କମିଟି ଗଠନ କରୁଛି। ଏଥିରେ ଆବାହକ, ସହ ଆବାହକ, କ୍ରୀଡ଼ା ସମ୍ପାଦକ, ନାଟ୍ୟ ସମ୍ପାଦକ, ହଷ୍ଟେଲ ସୋସାଇଟି ଇନ୍ଚାର୍ଜ, ଡେ ସ୍କଲାର ସୋସାଇଟି ଇନ୍ଚାର୍ଜ ଆଦି ପଦରେ ଛାତ୍ରଛାତ୍ରୀଙ୍କୁ ରଖାଯାଉଛି। ଯେଉଁମାନେ କି କ୍ୟାମ୍ପସରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଦିଗରେ କାର୍ଯ୍ୟ କରିବେ। ବୃକ୍ଷରୋପଣ, ରକ୍ତଦାନ ଶିବିର, ହେଲ୍ପ ଡେସ୍କ, ସ୍ବତନ୍ତ୍ର କ୍ୟାମ୍ପ କରିବେ। ଜଣେ ନିର୍ବାଚିତ ପ୍ରତିନିଧି କ୍ୟାମ୍ପସରେ ଯେଉଁ କାର୍ଯ୍ୟ କରନ୍ତି ଏମାନେ ତାହା କରିବେ। ଛାତ୍ର ବିଜେଡିର ମୁକାବିଲା ସହ କ୍ୟାମ୍ପସରେ ପତିଆରା ଜାହିର କରିବାକୁ ଛାତ୍ର କଂଗ୍ରେସ ୧୨ରୁ ୧୪ଜଣିଆ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ୩୦ ଜଣିଆ ୟୁନିଟ୍ ଗଠନ କରି ଛାତ୍ରଛାତ୍ରୀଙ୍କ ସହ ଯୋଡ଼ି ହେବାକୁ ଲକ୍ଷ୍ୟରେ ଆଗକୁ ବଢ଼ୁଛି।
ତେବେ କମିଟି ଗଠନ ଛାତ୍ର ବିଜେଡିକୁ କିଛି ମାତ୍ରାରେ ଅଡ଼ୁଆରେ ପକାଇଛି। ବିଭିନ୍ନ ଗୋଷ୍ଠୀର ନେତା ନିଜ ନିଜ ସମର୍ଥକଙ୍କୁ କମିଟିରେ ନେବାକୁ ଉଦ୍ୟମ କରିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏଣୁ ସବୁ କ୍ୟାମ୍ପସରେ ଏବେ ସୁଦ୍ଧା କମିଟି ଗଠନ ଶେଷ ହୋଇପାରିନାହିଁ। ଉତ୍କଳ ବିଶ୍ବବିଦ୍ୟାଳୟ ପରି ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନରେ କମିଟି ଗଠନ କରିବାରେ ସଙ୍ଗଠନ ସକ୍ଷମ ହୋଇପାରିନାହିଁ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ମଧ୍ୟ କମିଟି ଗଠନ ଚର୍ଚ୍ଚାରେ ରହିଛି।
