ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସଂକେତ
ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ ଦଶମ ଓ ଦ୍ୱାଦଶ ପିଲା ଛାତ୍ରଛାତ୍ରୀ
ଭୁବନେଶ୍ୱର : ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହୋଇପାରେ ବୋଲି ସଂକେତ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦିଆଯାଇଛି । ସେ କହିଛନ୍ତି ଯେ,ରାଜ୍ୟରେ କୋରୋନା ସଂକ୍ରମଣ ଏବେ କମିବାରେ ଲାଗିଛି । ତେଣୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଠିକ୍ ସମୟରେ କରିବାକୁ ଆମର ଆଗ୍ରହ ରହିବ । ବିଶେଷ ପରିସ୍ଥିତିରେ ହିଁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇପାରେ ବୋଲି ସେ କହିଛନ୍ତି । କିନ୍ତୁ ଆଜିର ସ୍ଥିତି ଦେଖିଲେ ପରୀକ୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି । କୋରୋନା ସଂକ୍ରମଣ ବଢିବା ଯୋଗୁଁ ଚଳିତମାସ ପ୍ରଥମ ସପ୍ତାହରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକୁ ବନ୍ଦ କରିଦିଆଯାଇଥିଲା । କିନ୍ତୁ ଅନଲାଇନରେ ପାଠପଢା ଜାରି ରହିଛି ।
ରାଜ୍ୟରେ ଲଗାତାର ଚାରି ଦିନ ହେଲା କରୋନା ସଂକ୍ରମଣ ନିମ୍ନଗାମୀ ରହିଛି । ଏବେ ସଂକ୍ରମିତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶତ ଅଧିକ ରହୁଛି । ତେବେ ଏହି ଧାରା କେତେ ଦିନ ଜାରି ରହିବ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଆକଳନ କରନଥିବା ବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ସଂକ୍ରମଣ ଏବେ ହ୍ରାସ ପାଇବ । ଆସନ୍ତା ଦୁଇ ତିନି ଦିନର ସଂକ୍ରମଣ ସ୍ଥିତି ଉପରେ ନଜର ରଖାଯାଇଛି ଯାହା ଦ୍ୱାରା ସଂକ୍ରମଣକୁ ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି କୁହାଯାଉଛି । ରାଜ୍ୟରେ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ସ୍କୁଲ କଲେଜ ଗୁଡିକୁ ବନ୍ଦ କରିଦିଆଇଛି । ଏବେ ପିଲାମାନେ ଅନ୍ଲାଇନ ମାଧ୍ୟମରେ କ୍ଲାସ କରୁଛନ୍ତି । ତେବେ କରୋନା ମହାମାରୀ ମଧ୍ୟରେ ଗତବର୍ଷ ଭଳି ଏଥର ମଧ୍ୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମନରେ ଦ୍ୱନ୍ଦ ରହିଛି । ପରୀକ୍ଷା ହେବ କି ନାହିଁ ତାହାକୁ ନେଇ ରହିଥିବା ଦ୍ୱନ୍ଦ ମଧ୍ୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଦଶମ ଓ ଦ୍ୱାଦଶ ପିଲାମାନଙ୍କୁ ପରୀକ୍ଷା ପାଇଁ ପସ୍ତୁତ ରହିବା ପାଇଁ କହିଛନ୍ତି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମରେ ବାର୍ତା ଦେଇ କହିଛନ୍ତି ଯେ ‘ ଦଶମ ଓ ଦ୍ୱାଦଶ ପିଲା ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ । ରାଜ୍ୟ ସରକାର ଆଶାବାଦୀ ପରୀକ୍ଷା ଠିକ ସମୟରେ ହୋଇ ଫଳାଫଳ ବାହାରିବ । କରୋନା ତଳମୁହାଁ ହେଉଛି । ପରିସ୍ଥିତି ସୁଧୁରିବାର ଆଶା ରହିଛି । ଏପରି ହେଲେ ପରୀକ୍ଷା ହେବ । ଏଣୁ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସଂକ୍ରମଣର ସ୍ଥିତିକୁ ଦେଖି ଉଚିତ ପଦକ୍ଷେପ ନେବୁ । ସ୍କୁଲ ଖୋଲା ଥିବା ସମୟରେ ଆମେ ଦଶମ ସମେଟିଭ ପରୀକ୍ଷା କରିଛୁ । ଯଦି ରାଜ୍ୟରେ ସଂକ୍ରମଣ ବଢିଲା କିମ୍ବା ପରିସ୍ଥିତି ଖରାପ ହେଲା, ରାଜ୍ୟ ସରକାର ଅଲଗା କଥା ଚିନ୍ତା କରିବେ । ଆମେ ଆଶା ରଖିଛୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସଂକ୍ରମଣ କମିବ ଏବଂ ଆମେ ପରୀକ୍ଷା କରି ଠିକ ସମୟରେ ଫଳ ବାହାରକରିବୁ । ଏଣୁ ପିଲାମାନେ ସମୟ ନଷ୍ଟ ନକରି ପରୀକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ ।
