ଜିଲ୍ଲାରୁ ସଂଗ୍ରହ ହେବ ୧୩ ଲକ୍ଷ କ୍ୱିଣ୍ଟାଲ ଧାନ ୭୨ ହଜାର ଚାଷି ପଂଜିିକୃତ, ବଢିଲା ୩ ମିଲର ସଂଖ୍ୟା
କଟକ : ଆଗାମୀ ରବି ଋତୁରେ କଟକ ଜିଲ୍ଲାର ସମସ୍ତ ୧୪ଟି ଯାକ ବ୍ଲକର ଚାଷିମାନଙ୍କଠାରୁ ଧାନ କିଣା ବିକା ପ୍ରକ୍ରିୟା ଏବେଠୁ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗ ଧାନ କିଣିବା ପାଇଁ ନିଯୁକ୍ତ ଥିବା ପ୍ରାଇମେରୀ ଏଗ୍ରିକଲଚର କୋଅପରେଟିଭ ସୋସାଇଟି(ପାକସ୍)ର ଭିତ୍ତିଭୂମିକୁ ତର୍ଜମା କରିବା ସହିତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଉଚିତ ମୂଲ୍ୟରେ ଧାନ କିଣିିବା ପାଇଁ ପାକସ ସଂପାକମାନଙ୍କୁ ପରାମର୍ଶ ଦେଇଛନ୍ତି । ଆସନ୍ତା ୨୧ ତାରିଖଠାରୁ ଚାଷିମାନଙ୍କ ଦ୍ୱାରା ଉତ୍ପାଦିତ ଧାନକୁ ପର୍ଯ୍ୟାୟ କ୍ରମେ ସୋସାଇଟି ମାଧ୍ୟମରେ କିଣାଯିବ । ଏହି ଧାନ କିଣାବିକା ଆସନ୍ତା ୨୦୨୩ ମାର୍ଚ୍ଚ ୩୧ ମଧ୍ୟରେ ସରିବାକୁ ଥିବା ବେଳେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ କେବଳ କଟକ ଜିଲ୍ଲାର ଚାଷିଙ୍କଠାରୁ ୧୩ ଲକ୍ଷ କ୍ୱିଣ୍ଟାଲ ଧାନ କ୍ରୟ କରିବା ପାଇଁ ଅନୁମତି ଦେଇଛନ୍ତି । ଗତକାଲ ସୁଦ୍ଧା ଜିଲ୍ଲାର ୭୨ ହଜାର ୩୩୬ ଜଣ ଚାଷି ଧାନ ବିକିବା ପାଇଁ ସେମାନଙ୍କର ନାମ ପଂଜିକରଣ କରିଛନ୍ତି । ହେଲେ ଜିଲ୍ଲାରେ ମିଲରଙ୍କ ସଂଖ୍ୟା କମ୍ ଥିବାରୁ ଜିଲ୍ଲାପାଳଙ୍କ ସୁପାରିଶ ଓ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଚଳିତ ବର୍ଷ ଆହୁରି ୩ ଜଣ ମିଲରଙ୍କୁ କ୍ରୟ କରାଯାଇଥିବା ଧାନ ଦିଆଯିବ । ଯାହାଫଳରେ ଚାଷିମାନଙ୍କର ଧାନ ଆଉ ସୋସାଇଟି ସମ୍ମୁଖରେ ପଡି ନଷ୍ଟ ହେବ ନାହିଁ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲାରେ ରହିଥିବା ୧ ଲକ୍ଷ ୯୮ ହଜାର ୩୩୬ ହେକ୍ଟର ଚାଷ ଜମିରୁ କେବଳ ୧ ଲକ୍ଷ ୪୦ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଥାଏ । ଆବଶ୍ୟକତା ଦୃଷ୍ଟିରୁ ଚାଷିମାନେ ସେମାନଙ୍କର ବଳକା ଧାନକୁ ବିକ୍ରି କରିଥାନ୍ତି । ଆଜି ଏହି ଧାନ କିଣାବିକା ସଂପର୍କରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମାନସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାସ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର, ନିରୀକ୍ଷିକା ଇନ୍ଦୁଲତା ବେଗମ୍, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଚିରଂଜୀବୀ ରଂଜନ ଠୋପୋ, ଯୋଗାଣ ନିରୀକ୍ଷିକା ପୁନମ ଦୁଲ୍ଲନ ପ୍ରମୁଖ ଉପସ୍ଥିତ ଥିଲେ ।
