ତୃତୀୟ ଟି-୨୦ : ଦକ୍ଷିଣଆଫ୍ରିକାକୁ ୪୮ ରନରେ ହରାଇଲା ଭାରତ
ବିଶାଖାପଟନମ : ତୃତୀୟ ଟି-୨୦ ତଥା ‘କର ବା ମର’ ମୁକାବିଲାରେ ବାଜି ମାରିଲା ଭାରତ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ପରାସ୍ତ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ପ୍ରତ୍ୟାବର୍ତ୍ତନ କରିଛି । ଦୁଇ ଓପନର ଋତୁରାଜ ଏବଂ ଇଶାନ କିଷନଙ୍କ ଦମଦାର ଅର୍ଦ୍ଧଶତକ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି । ଋଷଭ ପନ୍ତଙ୍କ ଟିମ୍ ଇଣ୍ଡିଆ ଆଜି ବିଶାଖାପଟନମରେ ବିଜୟ ବାନା ଉଡ଼ାଇଛି। ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଦକ୍ଷିଣ ଆଫ୍ରିକାକୁ ୪୮ ରନରେ ହରାଇଛି ଦଳ। ପନ୍ତଙ୍କ କ୍ୟାପ୍ଟେନ୍ସିରେ ଏହା ଭାରତର ପ୍ରଥମ ବିଜୟ। ସେହିପରି ଏହି ବିଜୟ ସହ ୫ ଟିକିଆ ଟି-୨୦ ସିରିଜ୍ ୧-୨କୁ ସ୍ଥିତିକୁ ଆସି ଯାଇଛି। ଏବେ ରାଜକୋଟ ଓ ବେଙ୍ଗାଲୁରୁ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର।
କ୍ରମାଗତ ତୃତୀୟ ଥର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଆଜିର ମ୍ୟାଚରେ ଓପନିଂ ଯୋଡି ଦମଦାର ଆରମ୍ଭ ଦେଇଥିଲେ । ଋତୁରାଜ ଏବଂ ଇଶାନ କିଷନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଦୁଇ ବ୍ୟାଟସମ୍ୟାନ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଦୁଇ ଓପନର ୧୦ ଓଭରରେ ୯୭ ରନ ଯୋଡି ବିଶାଳ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ । ଗାଏକୱାଡ ୩୫ ବଲରୁ ୭ ଚୌକା ଏବଂ ୨ ଛକା ବଳରେ ୫୭ ରନ କରିଥିଲେ । ପରେ ଇଶାନ କିଷନ ସମାନ ୩୫ ବଲରୁ ୫ ଚୌକା ଏବଂ ୨ ଛକା ସହ ୫୪ ରନ କରି ଆଉଟ୍ ହୋଇଥିଲେ । ଦୁଇ ଓପନର ଆଉଟ୍ ପରେ ଭାରତର ରନ ଗତି ଧିମେଇ ଯାଇଥିଲା । ଶ୍ରେୟସ ଆୟର ୧୪ ରନ କରି ପାଭିଲିୟନ ଫେରିଥିଲେ । ଅଧିନାୟକ ଋଷଭ ପନ୍ତ ପୁଣି ଥରେ ନିରାଶ କରିଥିଲେ । ଫିନିସର ଦିନେଶ କାର୍ତ୍ତିକ ଆଜି ଫେଲ୍ ମାରିଥିଲେ । ଶେଷ ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୩୧ ରନ କରିଥିଲେ । ଫଳରେ ଭାରତ ୫ ୱିକେଟ୍ ହରାଇ ୧୭୯ ରନ କରିଛି । ଏକଦା ୧୩ ଓଭରରେ ୧୨୮ ରନ କରିଥିବା ଭାରତ ଶେଷ ୭ ଓଭରରୁ ମାତ୍ର ୫୧ ରନ କରିପାରିଛି ।
୧୮୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା । ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ମୁକାବିଲା କରିନପାରି ଭ୍ରମଣକାରୀ ଦଳ ୧୩୧ ରନରେ ଅଲଆଉଟ୍ ହୋଇଛି । ରିଜା ହେଣ୍ଡରିସ୍କ ୨୩, ଡ୍ୱେନ ପ୍ରିଟୋରିୟସ, ହେନରିକ କ୍ଲାସେନ ୨୯ ଏବଂ ପାର୍ନେଲ ୨୨ ରନ କରିଥିଲେ ହେଁ କେହି ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ୟୁଜବେନ୍ଦ୍ର ଚହଲ ଏବଂ ହର୍ଷଲ ପଟେଲ୍ ବିରୋଧୀ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ହର୍ଷଲ ପଟେଲ ୨୫ ରନ ଦେଇ ୪ଟି ସଫଳତା ଏବଂ ଚହଲ ୨୦ ରନ ଦେଇ ୩ ସଫଳତା ପାଇଛନ୍ତି । ଭୁବନେଶ୍ୱର କୁମାର ୨୧ ରନ ସହ ୧ ଏବଂ ଅକ୍ଷର ପଟେଲ୍ ୨୮ ରନରେ ଟୋଟିଏ ୱିକେଟ୍ ନେଇଛନ୍ତି ।
