ତୃତୀୟ ଟି-୨୦ : ଦକ୍ଷିଣ ଆଫ୍ରିକାକୁ ୧୮୦ ରନ୍ର ଟାର୍ଗେଟ ଦେଲା ଭାରତ
ବିଶାଖାପଟନମ : ବିଶାଖାପଟନମରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଭଲ ଓ ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ବଡ଼ ସ୍କୋର କରିବାରେ ବିଫଳ ହେଲା ଭାରତ। ଦୁଇ ଓପନର ଋତୁରାଜ ଗାଏକୱାଡ, ଇଶାନ କିଷନ ଏବଂ ପାଣ୍ଡ୍ୟାଙ୍କୁ ଛାଡ଼ି ମଧ୍ୟକ୍ରମ ବ୍ୟାଟରମାନେ ପୁଣିଥରେ ନିରାଶ କରିଛନ୍ତି। ଋତୁରାଜ ୫୭ ରନ ଏବଂ ଇଶାନ କିଷନ ୫୪ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି । କର ବା ମର ମୁକାବିଲାରେ ଭାରତ ୫ ୱିକେଟ୍ ହରାଇ ୧୭୯ ରନ କରିଛି । ଫଳରେ ମ୍ୟାଚ୍ ସହ ସିରିଜ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୮୦ ରନ୍ର ଟାର୍ଗେଟ ମିଳିଛି। ଏହି ମ୍ୟାଚ୍ ହାରିଲେ ଭାରତ ସିରିଜ ହାରିବ।
ବିଶାଖାପଟନମରେ ଖେଳା ଯାଉଥିବା ତୃତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତର ଦୁଇ ଓପନର ଈଶାନ କିଶନ ଓ ଗାଏକ୍ୱାଡ ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମେ ୱିକେଟ ପାଇଁ ୯ ଓଭର ସୁଦ୍ଧା ୯୭ ରନ୍ ଯୋଡ଼ିଥିଲେ। ଲାଗୁଥିଲା ଭାରତ ଆଜିର ମ୍ୟାଚ୍ରେ ୨୦୦ରୁ ଅଧିକ ରନ୍ କରିବ। କିନ୍ତୁ ଏତିକି ବେଳେ ୩୫ ବଲରେ ୫୭ ରନର ଇନିଂସ ଖେଳିଥିବା ଗାଏକ୍ୱାଡଙ୍କୁ କେଶବ ମହାରାଜ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ଆଉଟ ହେବା ପୂର୍ବରୁ ସେ ୭ଟି ଚୌକା ଓ ୨ଟି ଛକା ମାରିଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟର କେବଳ ୧୪ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ତାବ୍ରାଇଜ ଶାମସୀ ନେଇଥିଲେ। ଏହି ଠାରୁ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ। ୧୨୮ ରନ୍ରେ ଦ୍ୱିତୀୟ ୱିକେଟ ହରାଇଥିବା ଭାରତ ୧୩୧ ରନ୍ରେ ଈଶାନ କିଶନ(୫୪)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଡ୍ୱେନ ପ୍ରିଟୋରିୟସ ନେଇଥିଲେ। ଆଉଟ ହେବା ପୂର୍ବରୁ ସେ ୩୫ ବଲରେ ୫ ଚୌକା ଓ ୨ଟି ଛକା ବଳରେ ୫୪ ରନ୍ର ଇନିଂସ ଖେଳିଥିଲେ। ତେବେ ଅଧିନାୟକ ଋଷଭ ପନ୍ତ(୬) ଆଜି ପୁଣି ନିରାଶ କରିଛନ୍ତି। କଟକରେ କିଛି ବଡ଼ ଶଟ ଖେଳିଥିବା ଦୀନେଶ କାର୍ତ୍ତିକ ମଧ୍ୟ କେବଳ ୬ ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ପାଣ୍ଡ୍ୟା ଶେଷ ଯାଏ ୩୧ ରନ୍ କରି ଅପରାଜିତ ରହିବାରୁ ଭାରତର ସ୍କୋର ୧୭୯ରେ ପହଞ୍ଚି ପାରିଛି। ତାଙ୍କ ସହ ଅକ୍ଷର ପଟେଲ ୨ ବଲରେ ୫ ରନ୍ କରି ଶେଷ ଯାଏ କ୍ରିଜରେ ରହିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ରିଟୋରିୟସ ୨ଟି ୱିକେଟ ନେଇଥିବା ବେଳେ କାଗିସୋ ରବାଡା ଶାମସୀ ଓ ମହାରାଜ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
