ବାଲେଶ୍ୱର ଷଷ୍ଠ ଜିଲା ପରିଷଦର ତୃତୀୟ ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲା ଷଷ୍ଠ ଜିଲା ପରିଷଦର ତୃତୀୟ ବୈଠକ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ), ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଓଡିଶା ସରକାର ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ମାନ୍ୟବର ଭୋଗରାଇ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଅନନ୍ତ ଦାସ, ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ଜିଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ, ଜିଲା ପରିଷଦ ଉପସଭାପତି ଅନୂସୟା ପ୍ରଧାନ, ସୋର ବିଧାୟକଙ୍କ ପ୍ରତିନିଧି ଅଜୟ କୁମାର ପଣ୍ଡା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ନୀଳଗିରି ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କ ସମେତ ଜିଲା ପରିଷଦ ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ।
ବୈଠକ ପ୍ରାରମ୍ଭରେ ମଞ୍ଚାସୀନ ମନ୍ତ୍ରୀ, ଏମ୍ପି, ବିଧାୟକ ଓ ଅତିଥିମାନଙ୍କୁ ଫୁଲତୋଡ଼ା ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇ ଥିବାବେଳେ ସେମାନେ ଏହି ଅବସରରେ ଜିଲାର ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ପ୍ରସ୍ତାବ ରଖିବା ସହିତ ମୂଲ୍ୟବାନ୍ ପରାମର୍ଶ ପ୍ରଦାନ କରିଥିଲେ । ଏହା ପରେ ପୂର୍ବ ବୈଠକର ବିବରଣୀ ସମ୍ବନ୍ଧରେ ସମ୍ୟକ ସୂଚନା ଦିଆଯିବା ସହିତ ଏଜେଣ୍ଡାୱାରୀ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ଶିକ୍ଷା ବିଭାଗ ସମ୍ବନ୍ଧୀୟ ଆଲୋଚନା କରାଯାଇଥିବା ବେଳେ ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର ଜିଲାର ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ସ୍ଥିତି ସମ୍ପର୍କରେ ତଥ୍ୟ ରଖିଥିଲେ । ୫-ଟି ଉପକ୍ରମରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଶିକ୍ଷକ ପଦଗୁଡ଼ିକ ତୁରନ୍ତ ପୂରଣ କରିବା ପାଇଁ ଗୃହରେ ସଦସ୍ୟମାନେ ମତ ରଖିଥିଲେ । ବିଦ୍ୟାଳୟଗୁଡିକରେ ଶୈକ୍ଷିକ ପରିବେଶ, ଭିତିଭୂମି ନିର୍ମାଣ ଓ ଶିକ୍ଷକ-କର୍ମଚାରୀ ନିଯୁକ୍ତିରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ ନଥିବା ଉପସ୍ଥିତ ସଭ୍ୟ-ସଭ୍ୟାମାନେ ପ୍ରକାଶ କରିଥିଲେ । ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ କରିବାରେ ବିଳମ୍ବ ହେଉଥିବାରୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ସେମାନେ ଗୁରୁତ୍ୱାରୋପ କରିଥିଲେ । ସେହିପରି ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କିତ ଆଲୋଚନାରେ ବିଶେଷଜ୍ଞ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଅଭାବ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସ୍ୱାସ୍ଥ୍ୟସେବାକୁ ପ୍ରଭାବିତ କରୁଥିବାରୁ ଏ ଦିଗରେ ବିଶେଷ ବ୍ୟବସ୍ଥା କରିବାକୁ ସଦସ୍ୟ-ସଦସ୍ୟାମାନେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲାପାଳ ଶ୍ରୀ ସିନ୍ଦେ ବିଭାଗୀୟ ଅଧିକାରୀମାନଙ୍କୁ ଏସବୁର ସମାଧାନ ପାଇଁ ବିହିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଜିଲାରେ ସମ୍ପ୍ରତି ଚାଲିଥିବା ବିଭିନ୍ନ ପ୍ରକଳ୍ପ କାମଗୁଡ଼ିକୁ କିଭଳି ତ୍ୱରାନ୍ୱିତ କରାଯାଇପାରିବ ସେ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସେହିପରି ରାସ୍ତା ମରାମତି କାମ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯିବା ଏବଂ ନୂତନ ପ୍ରକଳ୍ପ କାମ ଆରମ୍ଭ ପାଇଁ ଗୃହରେ ଆଲୋଚନା ହୋଇଥିଲା । ଏଥିସହିତ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟସବୁ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ବାଲେଶ୍ୱର ଉତ୍ତର ଓଡ଼ିଶାରେ ପ୍ରମୁଖ ସହର ହୋଇଥିବା ବେଳେ ଏଠାରେ ଏକ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବୈଠକ ଶେଷରେ ଜିଲା ପରିଷଦ ଉପ-ସଭାପତି ଅନୂସୟା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
