ବିଧାନସଭା ଶୀତ ଅଧିବେଶର ତୃତୀୟ ଦିନ : ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ମୁଲତବୀ
ଭୁବନେଶ୍ୱର : ଆଜି ବି ଆରମ୍ଭ ହେଉ ହେଉ ମୁଲତବୀ ହେଲା ଗୃହ । ୧୧ଟା ୩୦ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହା ପରେ ପୁଣି ୧୧ଟା ୩୦ ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ଆଜି ବିଧାନସଭା ଶୀତ ଅଧିବେଶର ତୃତୀୟ ଦିନ ଥିଲା । କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଗୃହ ଆରମ୍ଭରୁ ପ୍ରବଳ ହୋ ହଲ୍ଲା କରିଥିଲେ ବିରୋଧୀ । ଏପରିକି ବାଚସ୍ପତିଙ୍କ ପୋଡିଅମ ଆଗକୁ ଆସି ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଫଳରେ ଆରମ୍ଭ ହେଉ ହେଉ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାର ଘଣ୍ଟାଏ ପରେ ଗୃହ ଆରମ୍ଭ ହୋଇଥିଲେ ମଧ୍ୟ ପୁଣି ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ସୂଚନା ଯେ, ବିଧାନସଭା ଆରମ୍ଭର ପ୍ରଥମ ଦିନରୁ ଚାଲି ପାରୁନି ଗୃହ । ଏଥିପାଇଁ ଶାସକ-ବିରୋଧୀ କେବଳ ଦୋଷ ଲଦାଲଦି ହୋଇ ରହିଯାଉଛନ୍ତି । ଗୃହ ଅଚଳ ପାଇଁ ଆଗତ ହେବାକୁ ଥିବା ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ କାର୍ଯ୍ୟକାରୀ ହୋଇପାରୁନାହିଁ ।
