ରାଜ୍ୟରେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ବର୍ଷା ନାହିଁ !
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ବର୍ଷାର ବିଶେଷ ସମ୍ଭାବନା ନାହିଁ। କିଛି କିଛି ସ୍ଥାନରେ ହାଲ୍କାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ତେବେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶା ସଂଲଗ୍ନ ଅଞ୍ଚଳର ବାୟୁମଣ୍ଡଳର ଉପରି ଭାଗରେ ବାୟୁ ପ୍ରଭାବର ଯେଉଁ ସ୍ଥିତି ରହୁଛି, ତାହା ପ୍ରଭାବରେ ଆସନ୍ତା ୪ ଓ ୫ ତାରିଖ ଆଡ଼କୁ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୪ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ଦେଓଗଡ଼ ଓ ସମ୍ବଲପୁର ଆଦି ଜିଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ସେହିଭଳି ୫ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ ବାଲେଶ୍ବର ଆଦି ଜିଲାର କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ଦୁଇ ଦିନ ପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକର ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ୟପକ୍ଷରେ ଜୁଲାଇ ୧ରୁ ୩୧ ମଧ୍ୟରେ ରାଜ୍ୟରେ ୪୫୬.୩ ମିମି ବର୍ଷା ହୋଇଛି। ସ୍ୱାଭାବିକ ଭାବେ ଏହି ସମୟ ମଧ୍ୟରେ ୫୬୨.୩ମିମି ବର୍ଷା ହୋଇଥାଏ। ସବୁଠୁ ବଡ଼ ଚିନ୍ତାର ବିଷୟ ହେଲା, ଅଗଷ୍ଟରେ ବି ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ନାହିଁ। ତେଣୁ ଜୁଲାଇର ନିଅଣ୍ଟିଆ ବର୍ଷା ଅଗଷ୍ଟରେ ଭରଣା ହୋଇପାରିବ ନାହିଁ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ସୂଚନା ଯେ, ଜୁଲାଇରେ ରାଜ୍ୟର ୧୯ ଜିଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୧ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି।
