ଆଗାମୀ ୫ ବର୍ଷରେ ଦେଶରେ ପେଟ୍ରୋଲ ହୋଇଯିବ ବ୍ୟାନ୍ !
ନୂଆଦିଲ୍ଲୀ : ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧି ସାଧାରଣ ଜନତାଙ୍କ ବୋଝ ବଢ଼ାଇ ଚାଲିଛି । ମୁଦ୍ରାସ୍ଫୀତି ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ତେଣୁ ଇନ୍ଧନର ମୂଲ୍ୟରେ ଦୁଇ ଟଙ୍କା ହ୍ରାସ ହେଲେ ସାଧାରଣ ଲୋକଙ୍କୁ ବଡ଼ ରିହାତି ମିଳିଥାଏ । ସେପଟେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ବଡ଼ ବୟାନ ଦେଇଛନ୍ତି । ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ମଧ୍ୟରେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରୁ ପେଟ୍ରୋଲକୁ ଶେଷ କରିଦିଆଯିବ ବୋଲି ସେ କହିଛନ୍ତି । ଏହା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯିବ ।
ଆକୋଲା ସ୍ଥିତ ଡକ୍ଟର ପଞ୍ଜାବ୍ରାଓ ଦେଶମୁଖ କୃଷି ବିଶ୍ୱବିଦ୍ୟାଳୟର ୩୬ ତମ ସମ୍ମିଳନୀରେ ନୀତିନ ଗଡକରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ କୃଷି ବିଶ୍ୱବିଦ୍ୟାଳୟ ଦ୍ୱାରା ‘ଡକ୍ଟର ଅଫ୍ ସାଇନ୍ସ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଭଗତ ସିଂ କୋଶୟାରି ଅଧ୍ୟକ୍ଷତା କରିଥିଲେ ।
ଗଡକରୀ କହିଛନ୍ତି ଯେ, ବର୍ତ୍ତମାନ ବିଦର୍ଭରେ ନିର୍ମିତ ବାୟୋ-ଇଥାନଲର ବ୍ୟବହାର ଯାନରେ କରାଯାଉଛି । କୂଅ ପାଣିରୁ ସବୁଜ ହାଇଡ୍ରୋଜେନ ତିଆରି କରାଯାଇପାରିବ ଓ କିଲୋଗ୍ରାମ ପିଛା ୭୦ ଟଙ୍କାରେ ବିକ୍ରି ହୋଇପାରିବ । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପେଟ୍ରୋଲ ସରିଯିବ ବୋଲି ଗଡକରୀ କହିଛନ୍ତି । ସେ କହିଛନ୍ତି ଯେ କୌଣସି ଚାଷୀ କେବଳ ଗହମ, ଧାନ, ମକା ଲଗାଇ ନିଜର ଭବିଷ୍ୟତ ପରିବର୍ତ୍ତନ କରିପାରିବେ ନାହିଁ । କୃଷକମାନେ କେବଳ ଖାଦ୍ୟ ଯୋଗାଣକାରୀ ନୁହଁନ୍ତି ଶକ୍ତି ପ୍ରଦାନକାରୀ ହେବା ଆବଶ୍ୟକ । ସେହିପରି ଇଥାନଲ ଉପରେ ନିଷ୍ପତ୍ତି ଦେଶକୁ ୨୦,୦୦୦ କୋଟି ଟଙ୍କା ସଞ୍ଚୟ କରିଛି । ନିକଟ ଭବିଷ୍ୟତରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଗ୍ରୀନ୍ ହାଇଡ୍ରୋଜେନ, ଇଥାନଲ ଏବଂ ସିଏନଜି ଉପରେ ଆଧାରିତ ହେବ । ସେହିପରି ବିଦର୍ଭରୁ ବାଂଲାଦେଶକୁ କପା ରପ୍ତାନି କରିବାକୁ ଯୋଜନା ରହିଛି, ଯାହା ବିଶ୍ୱବିଦ୍ୟାଳୟର ସହଯୋଗର ଆବଶ୍ୟକତା ରହିଛି । ବିଦର୍ଭରେ କୃଷକ ଆତ୍ମହତ୍ୟାକୁ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ ଅନେକ କିଛି କରିପାରିବ ।
ସୂଚନା ଯେ, ବିଗତ ଦିନରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ଅଧିକାଂଶ ଲୋକ ବୈଦ୍ୟୁତିକ ଯାନ ବ୍ୟବହାର କରିବା ଆରମ୍ଭ କରିଦେବେ, ସେତେବେଳେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ହେବାର ପ୍ରଭାବ କମିଯିବ । ସେଥିପାଇଁ ଅଟୋ କମ୍ପାନୀ ତରଫରୁ ବିଭିନ୍ନ ବୈଦ୍ୟୁତିକ ଯାନ ଉପରେ ଗୁରୁତ୍ୱ ଦିଆଯାଉଛି ଓ ଏହା ବିଷୟରେ ଲୋକଙ୍କ ମଧ୍ୟରେ ଅନେକ କୌତୁହଳ ଦେଖାଯାଉଛି । ଏହାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ମଧ୍ୟ ଗୁରୁତ୍ୱ ଦେଉଛନ୍ତି ।
