୬ ଯାଏଁ ରାଜ୍ୟର ଅଧିକାଂଶ ଜିଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ ଦୁଇଦିନ ଧରି କାଳବେଶାଖୀ ବର୍ଷା ଜାରି ରହିଛି । କିଛି ସ୍ଥାନରେ କୁଆପଥର ବର୍ଷା ବି ହୋଇଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆସନ୍ତା ୬ ତାରିଖ ଯାଏ କାଳବୈଶାଖୀ ଜନିତ ବର୍ଷା ଜାରି ରହିବ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ମଇ ୨ ତାରିଖ ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାଜ୍ୟର ଅଧିକାଂଶ ଜିଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହେବ । କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବ । ଏଥି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
