ଏହି ଦେଶରେ କଣ୍ଡୋମ ଉପରେ ଲାଗିଲା ବ୍ୟାନ୍, ଜାଣନ୍ତୁ କ’ଣ ରହିଛି କାରଣ
ନୂଆଦିଲ୍ଲୀ : ଆଫଗାନିସ୍ଥାନକୁ ସମ୍ପୂର୍ଣ୍ଣ ଭାବେ ନିଜ ହାତ ମୁଠାକୁ ନେବା ପରେ ତାଲିବାନ ନିଜ ଇଚ୍ଛା ଅନୁସାରେ ସେଠାକାର ନିୟମ ଓ କାନୁନ ବଦଳାଇବାରେ ଲାଗିଛି। ମହିଳାଙ୍କର ସ୍ୱାଧୀନତା ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଇବା ସହ ଯୁବତୀଙ୍କ ଉଚ୍ଚ ଶିକ୍ଷା ଉପରେ ମଧ୍ୟ କଟକଣା ଲଗାଇ ସାରିଛି ତାଲିବାନ। ତେବେ ଏହି ସବୁ ଅଦ୍ଭୁତ ଓ ଆଶ୍ଚର୍ଯ୍ୟକର ଆଇନ ଆଣିବାରେ ଆଉ ଏକ ପାଦ ଆଗେଇଛି ତାଲିବାନ। ବର୍ତ୍ତମାନ ଆଫଗାନିସ୍ଥାନର ୨ଟି ପ୍ରମୁଖ ସହରରେ କଣ୍ଡୋମର ବ୍ୟବହାର ଉପରେ କଟକଣା ଲାଗିଛି। ତାଲିବାନର କହିବା ଅନୁସାରେ ମୁସଲିମ ସମ୍ପ୍ରଦାୟର ଜନସଂଖ୍ୟା କମ କରିବା ପାଇଁ ପାଶ୍ଚାତ ଦେଶ ଗୁଡି଼କ ଗର୍ଭ ନିରୋଧକ ପ୍ରଚଳନ କରିଛନ୍ତି।
ସୂଚନା ମୁତାବକ, ଆଫଗାନିସ୍ଥାନର କାବୁଲ ଓ ମଜାର-ଏ-ସରିଫରେ ସମସ୍ତ ଡାକ୍ତରଖାନା ଓ ଔଷଧ ଦୋକାନ ଗୁଡି଼କରେ ଗର୍ଭ ନିରୋଧକ ଓ ଏହି ସମ୍ପର୍କୀୟ ମେଡି଼ସିନ ନ ରଖିବା ପାଇଁ ତାଲିବାନ ପକ୍ଷରୁ ଆଦେଶ ଦିଆଯାଇଛି। ଏହାସହ ପୂର୍ବରୁ ଥିବା ଷ୍ଟକ୍ ମାଲକୁ ନଷ୍ଟ କରିବା ପାଇଁ ମଧ୍ଯ କୁହାଯାଇଛି। ଯାହା ଫଳରେ ବହୁ ଔଷଧ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏନେଇ ଜଣେ ଔଷଧ ବ୍ୟବସାୟୀ କହିଛନ୍ତି ଯେ, ଏହି ମାସ ପ୍ରାରମ୍ଭରୁ ହିଁ ଏହି ସବୁ ଜିନିଷ ଗୁଡି଼କ ଉପରେ ତାଲିବାନ ବ୍ୟାନ ଲଗାଇ ଦେଇଥିଲା। ଫଳରେ ପୂର୍ବରୁ ଥିବା ଷ୍ଟକ ମାଲ୍ ଗୁଡି଼କ ବିକ୍ରି କରିବା ପାଇଁ ସେମାନେ ଭୟ କରୁଛନ୍ତି। ତାଲିବାନର ସୈନିକ ମାନେ ଘରକୁ ଘର ଯାଇ ସମସ୍ତଙ୍କୁ ଧମକାଉ ଥିବାର ସୂଚନା ରହିଛି। ଜନସଂଖ୍ୟା ନିୟନ୍ତ୍ରଣ କରିବା ବାର୍ତ୍ତାକୁ ବନ୍ଦ କରିବା ପାଇଁ ସେଠାକାର ନର୍ସ ମାନଙ୍କୁ ତାଲିବାନ କମାଣ୍ଡର ଆଦେଶ ଦେଇଛନ୍ତି। ଏହାକୁ ସେମାନେ ଏକ ଘୃଣ୍ୟ କାମ କହିବା ସହ ନର୍ସ ମାନଙ୍କୁ ତାଗିଦ କରୁଥିବାର ନେଇ ଜଣେ ନର୍ସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତାଲିବାନ ସେନା ପ୍ରତ୍ୟେକ ଗଳିକନ୍ଦି ଘୁରି ବୁଲିବା ସହ ସମସ୍ତଙ୍କୁ ଗର୍ଭ ନିରୋଧକ ବ୍ୟବହାର କରିବା ପାଇଁ ବାରଣ କରୁଛନ୍ତି। ବ୍ରିଟେନରେ ରହୁଥିବା ଆଫଗାନିସ୍ଥାନର ଜଣେ ସମାଜସେବୀ ଏହି ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଲିବାନ ନା କେବଳ ମହିଳାମାନଙ୍କ ସ୍ୱାଧୀନତା ଛଡା଼ଇଛି ତାହା ନୁହେଁ ସେ ମହିଳାଙ୍କର ଶରୀର ଉପରେ ମଧ୍ୟ ନିଜର ହକ୍ ଜମାଇବା ଆରମ୍ଭ କରି ଦେଲେଣି।
ଆଫଗାନିସ୍ଥାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ମହିଳାଙ୍କର ଅଧିକାର ସମ୍ପୂର୍ଣ୍ଣ ଭାବରେ କ୍ଷର୍ଣ୍ଣ ହୋଇଛି। ପ୍ରଥମେ ମହିଳାମାନଙ୍କ ଉଚ୍ଚ ଶିକ୍ଷା ଉପରେ ରୋକ ଲଗାଇବା ପରେ ବିଶ୍ୱବିଦ୍ୟାଳୟର ଦ୍ୱାର ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି। ଏହା ସହ ସମସ୍ତ ମହିଳାଙ୍କୁ ଚାକିରିରୁ ବିଦା କରିଛି ତାଲିବାନ ସରକାର।
