ମହାପ୍ରଭୁଙ୍କ ନବଯୌବନ ବେଶ, ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ
ପୁରୀ : ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଶୁକ୍ରବାର ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ନୀତି ଅନୁଷ୍ଠିତ ହୋଇଯାଇଛି । ୩ ଜଣ ସାମନ୍ତ ପୂଜାପଣ୍ଡା ସେବକ ମନ୍ତ୍ର ଉଚ୍ଚାରଣ ସହ ମହାପ୍ରଭୁଙ୍କ ନେତ୍ର ଅଙ୍କନ କରିଥିଲେ । ଶ୍ରୀଜୀଉ ମାନେ ସୁସ୍ଥ ହେବା ପରେ ଖଳି ଲାଗି, ସର୍ବାଙ୍ଗ ଚନ୍ଦନ ଲାଗି, ଓ ନେତ୍ରୋତ୍ସବ ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଭକ୍ତ ମାନେ ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି । ଶ୍ରୀଜୀଉଙ୍କ ନବଯୌବନ ବେଶ ଦର୍ଶନ କରିଲେ ମନୁଷ୍ୟ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଦେବତା, କିନ୍ନର ଓ ନାଗ ଲୋକ ମାନେ ମହାପ୍ରଭୁଙ୍କ ଅଣସର ପିଣ୍ଡିରେ ନବଯୌବନ ଦର୍ଶନ ପାଇଁ ବ୍ୟାକୁଳ ହୋଇଥାନ୍ତି । ମହାପ୍ରଭୁଙ୍କ ନେତ୍ର ଅଙ୍କନ ପାଇଁ ଏକ ସ୍ୱତନ୍ତ୍ର ଉତ୍ସବ ହେଉଥିବାରୁ ଏହାକୁ ନେତ୍ରୋତ୍ସବ କୁହନ୍ତି । ଦତ ମହାପାତ୍ର ସେବକ ମାନେ ନେତ୍ର ଚିତ୍ରଣ ଓ ମନ୍ତ୍ର ଉଚ୍ଚାରଣ ସହ ଏହି ଉତ୍ସବର ପାଳନ କରିଥାନ୍ତି । ଉଭା ଅମାବାସ୍ୟା ଦିନ ଏହି ବୃହତ ଶୃଙ୍ଗାର ନୀତି ଅନୁଷ୍ଠିତ ହୋଇଥାଏ । ଶୁକ୍ରବାର ସେବାୟତ ମାନେ ପ୍ରଭୁଙ୍କ ସମ୍ମୁଖରେ ଗୀତଗୋବିନ୍ଦ ଓ ଦଶବତାର ଉଚ୍ଚାରଣ କରିଥିଲେ । ଚଳିତ ବର୍ଷ ତିନି ଦିନ ଧରି ନବଯୌବନ ଦର୍ଶନ ନୀତି ଅନୁଷ୍ଠିତ ହେଉଛି । ୨୦ ବର୍ଷ ପରେ ଏହି ନୀତି ପଡୁଥିବା ବେଳେ ଭକ୍ତ ମାନେ ଦର୍ଶନରୁ ବଂଚିତ ହୋଇଛନ୍ତି ।
ସେହିପରି ଶନିବାର ପୁରୀ ସହରରେ ସଟ୍ ଡାଉନ୍ କଟକଣା ଲାଗୁ ହେବ ନାହିଁ । ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ୧୧ ତାରିଖ ଠାରୁ ୧୩ ତାରିଖ ଯାଏଁ କର୍ଫ୍ୟୁ ଲାଗୁ କରାଯିବ । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ଶନିବାର ସଟ୍ ଡାଉନ୍ କଟକଣାରେ କୋହଳ କରିଛି । ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ଫ୍ୟୁ ବଳବତର ରହିବ । ଶନିବାର ସଟ୍ ଡାଉନ୍ କୋହଳ କରାଯିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଚଳିତବର୍ଷ ରଥଯାତ୍ରା ଏକ ଐତିହାସିକ ରଥଯାତ୍ରା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରଥଯାତ୍ରା ନୀତିକାନ୍ତି ଶୃଙ୍ଖଳିତ ହେବା ସହ ସମୟ ଅନୁସାରେ ପାଳନ ପାଇଁ ପ୍ରଶାସନ ପଦକ୍ଷେପ ନେଉଛି । ଅଧିକାଂଶ ସେବାୟତଙ୍କ କରୋନା ପରୀକ୍ଷା, ଦୁଇ ଡୋଜ୍ କରୋନା ଟୀକା ନେବା ବ୍ୟବସ୍ଥା କରାଯିବା ସହ ସେମାନଙ୍କୁ ମାସ୍କ ଓ ଗାମୁଛା ବଂଟନ କରାଯାଇଛି । ନବଯୌବନ ଦର୍ଶନ ନୀତି ଅନୁସାରେ ପାଳନ କରାଯାଇଛି । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ରଥଯାତ୍ରାର ଆୟୋଜନ କରାଯାଉଥିବାରୁ ସତର୍କତାର ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉଛି । ରଥଯାତ୍ରା ସୁରୁଖୁରୁରେ ସମାପନ ପାଇଁ ସେବାୟତ ମାନେ ସଂକଳ୍ପ ନେବା ସହ ସହଯୋଗ କରୁଛନ୍ତି । ମହାପ୍ରଭୁଙ୍କ ଆର୍ଶିବାଦରୁ ଚଳିତ ବର୍ଷ ଘୋଷ ଯାତ୍ରା ସୁଚାରୂ ରୂପେ ସମାପନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
