ଟିକା ନେଇ ସାରିଥିବା ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ପାଇଁ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ
40th Meeting of the UNAIDS Program Coordination Board, 27-29th 2017, Geneva, Switzerland. UNAIDS/Pierre Albouy
ଜିନିଭା : ଅଧିକ ମାରାତ୍ମକ ଓ ସଂକ୍ରମଣଶୀଳ କରୋନାଭାଇରସ୍ର ‘ଡେଲ୍ଟା ଭେରିଆଣ୍ଟ୍’ ବିଶ୍ୱବ୍ୟାପୀ ଦ୍ରୁତ ବେଗରେ ବିସ୍ତାର ଲାଭ କରୁଥିବା ହେତୁ ସଂକ୍ରମଣ ପ୍ରତିରୋଧ ଲାଗି ଟିକା ଡୋଜ୍ ସମ୍ପୂର୍ଣ୍ଣ କରିସାରିଥିବା ବ୍ୟକ୍ତି ମଧ୍ୟ ମାସ୍କ୍ ପିନ୍ଧିବା, ଶାରୀରିକ ଦୂରତ୍ୱ ବଜାୟ ରଖିବା ଏବଂ ଅନ୍ୟନ୍ୟା ପ୍ରତିରକ୍ଷାତ୍ମକ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଔଷଧ ଓ ସ୍ୱାସ୍ଥ୍ୟ ଉତ୍ପାଦନ ବିଭାଗର ସହକାରୀ ମହାନିର୍ଦେଶକ ଡାକ୍ତର ମାରିଆଜେଲା ସିମାଓ କହିଛନ୍ତି ଯେ, ଦୁଇ ଡୋଜ୍ ଟିକା ନେଇଛନ୍ତି ବୋଲି ଲୋକେ ନିରାପଦ ମଣି ପାରିବେ ନାହିଁ। ତଥାପି ସେମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। କେବଳ ଟିକା ଗୋଷ୍ଠୀ ସଂକ୍ରମଣ ରୋକି ପାରିବ ନାହିଁ । ଲୋକେ ସଦାସର୍ବଦା ମାସ୍କ୍ ପରିଧାନ କରିବା, ବାୟୁଚଳାଚଳ କରୁଥିବା ସ୍ଥାନରେ ରହିବା, ହାତ ଧୋଇବା, ଶାରୀରିକ ଦୂରତ୍ବ ବଜାୟ ରଖିବା ଏବଂ ଗହଳି ଏଡ଼ାଇବା ଉଚିତ ।
ଜିନିଭାସ୍ଥିତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆପଣ ଟିକା ନେଇଥିଲେ ମଧ୍ୟ ଗୋଷ୍ଠୀ ସଂକ୍ରମଣ ଚାଲିଥିବା ବେଳେ ଉପରୋକ୍ତ ନିୟମ ମାନିବା ଅତୀବ ଗୁରୁତ୍ୱପୂର୍ଣ୍ଣ। ଏହା ବ୍ୟତିରେକେ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅଧିକାରୀମାନେ ମଧ୍ୟ କହିଛନ୍ତି ଯେ, ‘ଡେଲ୍ଟା’ ଭଳି ତୀବ୍ର ସଂକ୍ରମଣଶୀଳ ‘ଭେରିଆଣ୍ଟ୍’ ଅନେକ ଦେଶରେ ବିସ୍ତାର ଲାଭ କରୁଥିବାରୁ ସଂକ୍ରମଣ ବ୍ୟାପିଲାଣି। ଏଣେ ବିଶ୍ବର ବହୁଳାଂଶରେ ଲୋକେ କୋଭିଡ୍ -୧୯ ନିରୋଧୀ ଟିକା ନେଇ ନାହାନ୍ତି। ତେଣୁ, ଟିକା ଡୋଜ୍ ସମ୍ପୂର୍ଣ୍ଣ କରିଥିବା ଲୋକେ ମଧ୍ୟ ସତର୍କତା ଅବଲମ୍ବନ କରିବା ଉଚିତ। ଏହି ମର୍ମରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶକଙ୍କ ବରିଷ୍ଠ ପରାମର୍ଶଦାତା ଡାକ୍ତର ବ୍ରୁସ୍ ଆଲିୱାର୍ଡ କହିଛନ୍ତି, ହଁ, ଆପଣମାନେ କେତେକାଂଶରେ କଟକଣା କୋହଳ କରି ପାରନ୍ତି। କାରଣ, ଏ ସଂକ୍ରାନ୍ତରେ ବିଭିନ୍ନ ଦେଶର ଭିନ୍ନ ଭିନ୍ନ ଅନୁମୋଦନ ରହିଛି। ମାତ୍ର ତଥାପି ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ନୂଆ ‘ଭେରିଆଣ୍ଟ୍’ ବାହାରୁ ଥିବା କଥା ତ ଆମେ ଦେଖୁଛନ୍ତି।
