ଅଭାବନୀୟ ଘଟଣା ! ମଦ ନିଶାରେ ସ୍ୱାମୀକୁ ହତ୍ୟା ପରେ ତିନି ଦିନ ପର୍ଯ୍ୟନ୍ତ ଶବକୁ ଜଗି ରହିଥିଲା ସ୍ତ୍ରୀ
ସୁନ୍ଦରଗଡ: କୋଇଡା ଥାନା ଅନ୍ତର୍ଗତ ଅରଘାଟ ଗ୍ରାମର ଗୋପିସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ସ୍ୱାମୀକୁ ହତ୍ୟା କରି ତିନି ଦିନ ପର୍ଯ୍ୟନ୍ତ ସ୍ତ୍ରୀ ଶବକୁ ଜଗି ରହିଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ମହିଳା ଜଣକ ନିଷାଶକ୍ତ ଅବସ୍ଥାରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତ ବ୍ୟକ୍ତିଙ୍କ ନାମ ଶଙ୍କର ମୁଣ୍ଡା ଏବଂ ଅଭିଯୁକ୍ତ ପତ୍ନୀ ଶ୍ରୀମତି ମୁଣ୍ଡା ବୋଲି ଜଣା ପଡିଛି। ଏହି ଦମ୍ପତିଙ୍କର ଚାରି ସନ୍ତାନ ଅଛନ୍ତି। ଶଙ୍କରଙ୍କୁ ଗତ ଦୁଇ ଦିନ ନିଖୋଜ ଥିବା ଜାଣିବା ପରେ କିଛି ପଡୋଶୀ ତାଙ୍କ ପତ୍ନୀ ଶ୍ରୀମତିଙ୍କୁ ଏବିଷରେ ପଚାରିଥିଲେ। ତେବେ ଶୁକ୍ରବାର ରାତିରେ ମଦ୍ୟପାନ କରି ଶଙ୍କରଙ୍କୁ ହତ୍ୟା କରିଥିବା ଶ୍ରୀମତି କହିଥିଲେ। ଗାଁ ଲୋକଙ୍କ ଠାରୁ ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ରବିବାର କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶଙ୍କରଙ୍କ ଗଳିତ ଶବ ଜବତ କରିଥିଲା। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ପୋଲିସର କହିବା ଅନୁସାରେ, ଉଭୟ ଶଙ୍କର ଓ ଶ୍ରୀମତି କାମରୁ ଫେରି ମଦ୍ୟପାନ କରିଥିଲେ। କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଶ୍ରୀମତି ଏକ କାଠଫାଳିଆରେ ଶଙ୍କରଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଶଙ୍କରଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ଅଭିଯୁକ୍ତ ସ୍ତ୍ରୀ ଶ୍ରୀମତିଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି। କ୍ରାଇମବ୍ରାଞ୍ଚରୁ ଏକ ସାଇଣ୍ଟିଫିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଅଧିକ ପ୍ରମାଣ ସଂଗ୍ରହ କରିଛନ୍ତି। ସେପଟେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଶଙ୍କରଙ୍କ ମୃତ୍ୟୁ ବିଷୟରେ ଅଧିକ ତଥ୍ୟ ମିଳିବ ବୋଲି କୋଇଡା ପୋଲିସ କହିଛି।
