ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରେଲର, ୪ ମୃତ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଅମ୍ବାଦଳା ନିକଟ ମଞ୍ଜରିକୋପା ଠାରେ ଶୁକ୍ରବାର ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆମ୍ବୁଲାନ୍ସକୁ ଧକ୍କା ଦେଇଛି ଟ୍ରେଲର । ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି । ଦୁର୍ଘଟଣାରେ ମୃତ ସମସ୍ତ ୪ ଜଣ ଆମ୍ବୁଲାନ୍ସରେ ଥିଲେ । ବିଷମକଟକରୁ ଚିକିତ୍ସା ସାରି ରୋଗୀଙ୍କୁ ଧରି ସମ୍ପର୍କୀୟ ମାନେ ବଙ୍ଗୋମୁଣ୍ଡା ଫେରୁଥିବା ବେଳେ ବାଟରେ ଘଟିଛି ଏହି ଦୁର୍ଘଟଣା ।
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କପିଳଭଟ୍ଟା ଗାଁର ହନୀ ହଂସ କିଡ୍ନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ତାଙ୍କ ପରିବାର ଲୋକେ ବିଷମକଟକ ଖ୍ରୀଷ୍ଟିଆନ୍ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁନଥିବାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ସେଥିପାଇଁ ହନୀଙ୍କୁ ଏକ ପ୍ରାଇଭେଟ୍ ଆମ୍ୱୁଲାନ୍ସରେ ପରିବାର ଲୋକ ଘରକୁ ନେଉଥିଲେ। ବିଷମକଟକଠାରୁ ୩୦ କିମି ଦୂର ମଂଜରିକୋପା ନିକଟରେ ବିପରୀତ ଦିଗରୁ ଆସିଥିବା ଏକ ପାଉଁଶ ବୋଝେଇ ଟ୍ୟାଙ୍କର ଆମ୍ୱୁଲାନ୍ସକୁ ଧକ୍କା ଦେଇଥିଲା। ତା’ପରେ ଟ୍ୟାଙ୍କରଟି, ଆମ୍ୱୁଲାନ୍ସକୁ ୩୦ ମିଟର ପର୍ଯ୍ୟନ୍ତ ଠେଲି ନେଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ଦେଇଥିଲା। ଫଳରେ ଆମ୍ୱୁଲାନ୍ସ ଭିତରେ ଥିବା ହନୀ ହଂସ, ଭକ୍ତି ହଂସ ଓ ଆମ୍ୱୁଲାନ୍ସ ଚାଳକ ଅଭୟ କୌଶଲ୍ୟାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଅମ୍ୱାଦଳା ପୁଲିସ ଓ ମୁନିଗୁଡ଼ା ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲକି ହଂସ, ସୁଶାନ୍ତ ବିସି, ଜିତେନ୍ଦ୍ର ଭୋଇ ଓ ଲକ୍ଷ୍ମଣ କରମାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୁନିଗୁଡ଼ା ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରୁ ସୁଶାନ୍ତ ବିସିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ଲକି ହଂସ, ଜିତେନ୍ଦ୍ର ଭୋଇ ଓ ଲକ୍ଷ୍ମଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ୟାଙ୍କର ଚାଳକ ଫେରାର ହୋଇଯାଇଛି। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
