ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ
- ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା’ଙ୍କ ପୀଠରେ ଲାଗିହେବ ନବାନ୍ନ
ବଲାଙ୍ଗୀର : ପୁଣି ଦୁଲୁକିବ ସମଗ୍ର ପଶ୍ଚିମ ଓଡିଶାର ଗାଁଠୁ ସହର । ପୁଣି ଏକ ହେବେ ପରିବାର ସ୍ୱଜନ । ଆଗକୁ ଆସୁଛି ନୂଆଁଖାଇ । ନୂଆଁଖାଇର ପ୍ରଥମ ସୋପାନ ଲଗ୍ନ ଧାର୍ଯ୍ୟ ହୋଇଛି । ବଲାଂଗୀର ଜିଲ୍ଲାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ନୂଆଁଖାଇ ପାଇଁ ତାରିଖ, ସମୟ ସବୁକିଛିର ବାହାରିଛି ସୂଚୀ ।
ବଲାଂଗୀର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ, ମାଁ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ସହ ରାଜପରିବାରର ରାଶି ନକ୍ଷତ୍ର ଅନୁଯାଇ ଧାର୍ଯ୍ୟ ହୋଇଥାଏ ସମୟ ଓ ତାରିଖ । ଯାହାକୁ ପଣ୍ଡିତ ମହାସଭାରେ କରାଯାଇଥାଏ ଧାର୍ଯ୍ୟ । ତେବେ ଏନେଇ ଲଗ୍ନ ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତାରିଖ ୧୧-୦୯-୨୧ ଶନିବାର ଧାର୍ଯ୍ୟ ହୋଇଛି । ମିଥୁନ ତୁଳ ଲଗ୍ନେ, ମିଥୁନ ନବାନ୍ନ ଅମୃତ ବେଳାରେ ସକାଳ ୧୦ ଘଂଟା ୧୯ ମିନିଟରୁ ୧୦ ଘଂଟା ୪୦ ମିନିଟ୍ ମଧ୍ୟରେ ସମଗ୍ର ବଲାଂଗୀର ଜିଲ୍ଲାରେ ନବାନ୍ନ ଲାଗି ହେବାର ଲଗ୍ନ ଧାର୍ଯ୍ୟ ରହିଛି । ସେପଟେ ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ପାଳନ କରାଯିବ ନୂଆଁଖାଇ । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିରାଡମ୍ବରରେ ନୂଆଁଖାଇ ପାଳନ ପାଇଁ ପଣ୍ଡିତ ମହାସଭାରେ ନିଷ୍ପତି କରାଯାଇଛି ।
