ଖୁସି ଖବର! ବିଦ୍ୟୁତଚାଳିତ ଗାଡି ଉପରେ ଏଣିକି ୫୦ ହଜାର ଟଙ୍କା ଯାଏଁ ସବ୍ସିଡି
୨୦୨୧ ସେପ୍ଟେମ୍ବର ପହିଲାରୁ ପିଛିଲା ଭାବେ ଲାଗୁ
ଭୁବନେଶ୍ୱର : ବିଦ୍ୟୁତଚାଳିତ ଗାଡି କିଣିଥିବା ଲୋକଙ୍କ ପାଇଁ ଖୁସି ଖବର । ଏହି ଗାଡି କିଣିବା ବେଳେ ଗ୍ରାହକମାନଙ୍କୁ ରେଜିଷ୍ର୍ଟ୍ରେସନ ଫି’ ଓ ମୋଟରଯାନ ଟିକସ ଛାଡ ହୋଇଥିଲା । ବର୍ତ୍ତମାନ ଅତିରିକ୍ତ ୧୫ ପ୍ରତିଶତ ସବସିଡି ଅର୍ଥକୁ ସରକାର ଗ୍ରାହକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବେ । ଯେଉଁମାନେ ୨୦୨୧ ମସିହା ସେପଟେମ୍ବର ୧ ତାରିଖ ପରେ ବିଦ୍ୟୁତଚାଳିତ ଗାଡି କିଣିଥିବେ, ସେମାନେ ଏହି ଅତିରିକ୍ତ ସବସିଡି ଟଙ୍କା ଫେରସ୍ତ ପାଇବେ । ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବିଭିନ୍ନ ଧରଣର ଇଲେକ୍ଟ୍ରି ଗାଡି ଉପରେ ରାଜ୍ୟ ସରକାର ୫ରୁ ୫୦ ହଜାର ପର୍ଯ୍ୟନ୍ତ ସବସିଡି ଘୋଷଣା କରିଛନ୍ତି । ଏହା ପିଛିଲା ଭାବେ ୨୦୨୧ ମସିହା ସେପଟେମ୍ବର ପହିଲାରୁ ଲାଗୁ ହେବ । ରାଜ୍ୟରେ ବିଦ୍ୟୁତଚାଳିତ ଗାଡିଗୁଡିକର ବିକ୍ରିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସରକାର ପ୍ରଥମ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ଫି’ ଓ ମୋଟର ଯାନ ଟିକସକୁ ଛାଡ କରିଥିଲେ । ଗତବର୍ଷ ଏ ନେଇ ବିଜ୍ଞପ୍ତି ଜାରି ହୋଇଥିଲା ।
ସୂଚନା ଅନୁସାରେ, ବିଦ୍ୟୁତଚାଳିତ ଦୁଇଚକିଆ ଗାଡ଼ି କିଣିଲେ ଗ୍ରାହକଙ୍କୁ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଅବା ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତ, ୩ଚକିଆ ଗାଡ଼ି କିଣିଲେ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଅବା ସର୍ବୋଚ୍ଚ ୧୦ହଜାର ଟଙ୍କା, ଚାରିଚକିଆ ଯାନ କିଣିଲେ ଗାଡ଼ି ମୂଲ୍ୟର ୧୫ ପ୍ରତିଶତ ଅବା ସର୍ବୋଚ୍ଚ ୫୦ହଜାର ଟଙ୍କାର ପ୍ରୋତ୍ସାହନ ଯୋଗାଇ ଦିଆଯିବ । ସେହିପରି ବସ୍ କିଣିଲେ ଗାଡ଼ି ମୂଲ୍ୟର ୧୦ ପ୍ରତିଶତ ଓ ସର୍ବାଧିକ ୪ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ସରକାର ଯୋଗାଇ ଦେବେ । ବିଦ୍ୟୁତଚାଳିତ ମାଲବାହୀ ଗାଡ଼ି ପାଇଁ ସରକାର ୩୦ହଜାର ଟଙ୍କା ପ୍ରୋତ୍ସାହନ ଯୋଗାଇବେ । ଯଦି କେହି ନିଜସ୍ୱ ବ୍ୟବହାର ପାଇଁ ବୈଦ୍ୟୁତିକ ଗାଡ଼ି କିଣିବାକୁ ଋଣ କରିବେ , ତା’ହେଲେ ସରକାର ସେହି ଋଣ ଉପରେ ୫ପ୍ରତିଶତ ସୁଧ ଛାଡ଼ କରିବେ । ସେହିପରି ୪ବର୍ଷ ପାଇଁ ସବୁବର୍ଗର ବିଦ୍ୟୁତଚାଳିତ ଯାନର ପଞ୍ଜିକରଣ ଓ ମୋଟର ଯାନ ଟିକସ ଦେୟ ମଧ୍ୟ ଛାଡ଼ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ଏହାସହିତ ବିଦ୍ୟୁତଚାଳିତ ଯାନ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ଶତପ୍ରତିଶତ ଏସଜିଏସଟି ଛାଡ଼ କରାଯିବ । ଏମଏସଏମଇ ନୀତି-୨୦୧୬ ଅନୁସାରେ କ୍ଷୁଦ୍ର ଓ ଅଣୁ ବ୍ୟାଟେରୀ ଉଦ୍ୟୋଗୀଙ୍କୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ । ଉଦ୍ୟୋଗୀଙ୍କ ନିମନ୍ତେ ବ୍ୟାଟେରୀ ଉତ୍ପାଦନ ପାଇଁ ଷ୍ଟାର୍ଟଅପ୍ ପଲିସି ଅନୁସାରେ ସମସ୍ତ ସୁବିଧା ଉପଲବ୍ଧ ହେବ ତଥା ବିଭିନ୍ନ ସହରଗୁଡ଼ିକରେ ବିଦ୍ୟୁତଚାଳିତ ଯାନ ନିମନ୍ତେ ରହିଥିବା ପାର୍କିଂ ଫି’ରେ ବି ରିହାତି ଦିଆଯିବ । ଏସବୁଗାଡ଼ିର ବ୍ୟାଟେରୀ ଚାର୍ଜିଂ ନିମନ୍ତେ ଚାର୍ଜିଂ ଷ୍ଟେସନଗୁଡ଼ିକର ବିଦ୍ୟୁତ ଶୁଳ୍କରେ ବି ରିହାତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶା ବୈଦ୍ୟୁତିକ ଯାନ ନୀତି-୨୦୨୧ ଘୋଷଣା ହେବା ସହ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଓ ପରିବହନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଗଠନ ହୋଇଛି ।
