ବାତ୍ୟାର ରୂପ ନେଲା ଗଭୀର ଅବପାତ
- ଗୋପାଳପୁର ବନ୍ଦରରେ ୩ ନଂ ବିପଦ ସଙ୍କେତ, ଗଞ୍ଜାମକୁ ଲାଲ ସତର୍କତା
- ମୁକାବିଲା ପାଇଁ ନିୟୋଜିତ ହେଲେ ଏନ୍ଡିଆରଏଫ୍ର ୧୮ଟି ଟିମ
ନୂଆଦିଲ୍ଲୀ : ବାତ୍ୟାର ରୂପ ନେଲା ଗଭୀର ଅବପାତ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାତ୍ୟା ‘ଗୁଲାବ’ରେ ପରିଣତ ହୋଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉପକୂଳ ଆଡ଼କୁ ମୁହାଁଇଛି। ଭାରତୀୟ ପାଣିପାଗ ବିଭାଗ ବାତ୍ୟା ‘ଗୁଲାବ’ ସଂପର୍କରେ ସୂଚନା ଦେଇ କହିଛି ଯେ ଆଜି (ଶନିବାର) ଅପରାହ୍ନ ୫ଟା୩୦ ସୁଦ୍ଧା ବାତ୍ୟା ‘ଗୁଲାବ’ ବଙ୍ଗୋପସାଗର ମଧ୍ୟରେ ଓଡ଼ିଶାର ଗୋପାଳପୁର ଠାରୁ ୩୭୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଠାରୁ ୪୪୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି (ରବିବାର) ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଗୁଲାବ’ ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୧୦୦ କିଲୋମିଟରରୁ ଉର୍ଦ୍ଧ୍ୱ ବେଗରେ ପବନ ବହିବ।
ରବିବାର ସଂଧ୍ୟା ସୁଦ୍ଧା ଗୋପାଳପୁର ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୫ ରୁ ୮୫ ରହିବା ସହ ଝଟକା ପବନ ୯୫ ପର୍ଯ୍ୟନ୍ତ ରହିବ ବୋଲି ଅନୁମାନ କରାଯାଇଛି । ସେହି ସମୟରେ ସମୁଦ୍ର ଜୁଆର ତଳି ଅଞ୍ଚଳରେ ୦ .୫ ଉପରକୁ ଆସିପାରେ ବୋଲି ସୂଚନା ମିଳିଛି । ଉପକୂଳ ଅଞ୍ଚଳରେ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୨୬ ଓ ୨୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ୪୧୦ କିମି ଦୂରରେ ଥିବା ବେଳେ ଏହାର ବେଗ ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରୁଥିବା ସୂଚନା ମିଳିଛି । ବାତ୍ୟାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ, ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକଙ୍କୁ ବେଳାଭୂମି ବାରଣ କରାଯାଇଛି। ତେଣୁ ଏନଏସି ପକ୍ଷରୁ ପ୍ରଶାସନ ନିର୍ଦ୍ଦେଶ କ୍ରମେ ଡାକ ବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯିବା ସହ ବାତ୍ୟା ଆଶ୍ରୟସ୍ଥଳୀ, ଶିଶୁ ମନ୍ଦିର ଏବଂ ଏନ୍ଏସି କାର୍ଯ୍ୟାଳୟ କୁ ସଫସୁତରା କରାଯିବା ସହ ଆଲୋକିକରଣ, ବିଶୁଦ୍ଧ ପାନୀୟ ଜଳ, ସ୍ଵାସ୍ଥ୍ୟ ସେବା, ଶୁଖିଲା ଓ ରନ୍ଧ ଖାଦ୍ୟ ବ୍ୟବସ୍ଥା କରାଯିବା ସହ ସମସ୍ତ କର୍ମଚାରୀଙ୍କୁ ଛୁଟି ବାତିଲ କରାଯିବା ସହ ସମସ୍ତ ଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ଶେଠ୍ କହିଛନ୍ତି। ରବିବାର ଓ ସୋମବାର ଗୋପାଳପୁର ବେଳାଭୁମି କୁ ବାରଣ କରାଯିବା ସହ କଡା ପହିତରା ଦିଆଯିବ ବୋଲି ଥାନା ଅଧିକାରୀ ମାଧବାନନ୍ଦ ନାୟକ ସୂଚନା ଦେଇଛନ୍ତି।
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ଆଜି (ଶନିବାର) ସନ୍ଧ୍ୟାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ଏକ ବୈଠକ ଡକାଇ କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ଏଜେନ୍ସି ତଥା ଓଡ଼ିିଶା ଏବଂ ଆନ୍ଧ୍ରପ୍ରଦେଶର ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇ ପ୍ରସ୍ତୁତିର ସମୀକ୍ଷା କରିବା ସହ ବାତ୍ୟା କାରଣରୁ ସୃଷ୍ଟି ହେବାକୁ ପରିସ୍ଥିତିର ଆକଳନ କରିଛନ୍ତି। ଏହି ବୈଠକରେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଉଥିବା ପ୍ରସ୍ତୁତି ସଂପର୍କରେ ସବିଶେଷ ସୂଚନା ଦେଇଥିଲେ। ବୈଠକରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ସୂଚନା ଦେଇ କହିଥିଲେ ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ଦୁଇ ରାଜ୍ୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ(ଏନ୍ଡିଆରଏଫ୍)ର ୧୮ଟି ଟିମ୍କୁ ନିୟୋଜିତ କରାଯାଇ ସାରିଲାଣି ଏବଂ ଅତିରିକ୍ତ ଦଳକୁ ଷ୍ଟାଣ୍ଡବାଇରେ ମଧ୍ୟ ରଖାଯାଇଛି। ଓଡିଶାରେ ଏନଡିଆରଏଫ୍ ଟିମ୍ ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼ ଓ ମାଲକାନଗିରି ଏବଂ ଆନ୍ଧ୍ରପ୍ରଦେଶରେ ବିଶାଖାପାଟନମ୍, ଶ୍ରୀକାକୁଲମ୍, ୟାନାମ ଏବଂ ବିଜୟନଗରମ୍ରେ ନିୟୋଜିତ ହୋଇଛନ୍ତି। ଏତଦ୍ଭିନ୍ନ ଜାହାଜ ଏବଂ ବିମାନ ସହିତ ଭାରତୀୟ ସେନା ଏବଂ ଭାରତୀୟ ନୌସେନାର ଉଦ୍ଧାରକାରୀ ଓ ରିଲିଫ ଦଳ ମଧ୍ୟ ନିୟୋଜିତ ହୋଇ ସାରଲେଣି। ବାତ୍ୟା ଗୁଲାବ ସଂପର୍କରେ ‘ରିଏଲ ଟାଇମ୍’ ତଥ୍ୟ ରଖିବା ସହ ଏହାର ପ୍ରତ୍ୟେକଟି ଗତିବିଧି ସଂପର୍କରେ ନିୟମିତ ବ୍ୟବଧାନରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଭାରତୀୟ ପାଣିପାଗ ବିଭାଗକୁ ନିର୍ଦ୍ଦେଶ ଦେବା ସହ ବାତ୍ୟାରେ ମୃତାହତଙ୍କ ସଂଖ୍ୟା ‘ଶୂନ୍ୟ’ ରଖିବା ପାଇଁ ଲକ୍ଷ୍ୟ ରଖି ପ୍ରସ୍ତୁତି କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ କହିଛନ୍ତି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା।
