ଆସୁଛି ବାତ୍ୟା ! ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ଆଶଙ୍କା, ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ
ବିଭିନ୍ନ ମଡେଲରଙ୍କ ଆକଳନକୁ ନେଇ ବଢୁଛି ସନ୍ଦେହ
ଭୁବନେଶ୍ୱର : ଆସୁଛି ବାତ୍ୟା । ରାଜ୍ୟକୁ ପୁଣି ବଢିଲା ବାତ୍ୟା ଭୟ । ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ବାତ୍ୟାର ରୂପ ବି ନେବା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ଓଡ଼ିଶା କିମ୍ବା ଉତ୍ତର ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କେତେକ ପାଣିପାଗ ମଡେଲ୍ ଏଭଳି ପ୍ରାକ୍ ଆକଳନ କରିଛନ୍ତି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଧ୍ୟ ଅକ୍ଟୋବର ପ୍ରଥମ ସପ୍ତାହରେ ଅବପାତ ସୃଷ୍ଟି ହେବା ଭଳି ସାମାନ୍ୟ ସମ୍ଭାବନା ଥିବା ଅନୁମାନ କରିଛି । ଇସିଏମ୍ଡବ୍ଲ୍ୟୁଏଫ ଓ ଏନ୍ସିୟୁଏମ୍ ମଡେଲ୍ର ଆକଳନ ହେଲା-କେନ୍ଦ୍ରୀୟ ବଙ୍ଗୋସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ଆସନ୍ତା ୨୯ ତାରିଖ ବେଳକୁ ଅବପାତ ରୂପ ନେଇପାରେ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ ।
ଏନସିଇପି ଜିଏଫ୍ଏସ୍ ମଡେଲ୍ କହୁଛି, ୨୯ ତାରିଖବେଳକୁ ପୂର୍ବ-କେନ୍ଦ୍ରୀୟ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ । କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ଅବପାତ ରୂପ ନେଇପାରେ । ପରବର୍ତ୍ତୀ ୩ରୁ ୪ ଦିନ ଭିତରେ ଆହୁରି ବଳ ଜୁଟାଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି ।
ବିଭିନ୍ନ ମଡେଲ୍ର ଆକଳନକୁ ନେଇ ଦୁଇ ସପ୍ତାହ ପାଇଁ ଆଇଏମଡି ଜାରି କରୁଥିବା ବିସ୍ତାରିତ ପାଣିପାଗ ପୂର୍ବାନୁମାନରେ କୁହାଯାଇଛି, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଅବପାତ ରୂପ ନେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଏ ନେଇ ସାମାନ୍ୟ ସମ୍ଭାବନା ମଧ୍ୟ ରହୁଥିବା ଅନୁମାନ କରାଯାଉଛି । ହେଲେ ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେବା ନେଇ ଏବେଠାରୁ କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ ।
ଆଉ କିଛି ପାଣିପାଗ ମଡେଲ୍ ବି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଦର୍ଶାଉଛନ୍ତି । ସେମାନଙ୍କ ଆକଳନ କହୁଛି, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହୋଇପାରେ । ଯଦିଓ ବିଭିନ୍ନ ମଡେଲ ଶକ୍ତିଶାଳୀ ଲଘୁଚାପ କିମ୍ବା ବାତ୍ୟା ଆକଳନ କରୁଥିଲେ ବି ଏବେଠାରୁ ସଠିକ ପୂର୍ବାନୁମାନ କରି ହେବ ନାହିଁ । ତେବେ ଭାରତୀୟ ପାଣିପାଗ ବିଭାଗ ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ନେଇ କୌଣସି ଆକଳନ କରିନି । ସାଧାରଣତଃ ଅକ୍ଟୋବର ପହିଲାରୁ ଡିସେମ୍ବର ଶେଷ ଯାଏ ମୌସୁମୀ ପରବର୍ତ୍ତୀକାଳୀନ ବାତ୍ୟା ଋତୁ ବୋଲି କୁହାଯାଏ । ଏହି ସମୟରେ ମୌସୁମୀ ଫେରିଯାଏ । ପୂର୍ବରୁ ଏହି ସମୟରେ ଅନେକ ବାତ୍ୟା ସୃଷ୍ଟିର ନଜିର ରହିଛି । ସେଥିରୁ କିଛି ଓଡ଼ିଶାରେ ପ୍ରଭାବ ପକାଇଛି । ତେଣୁ ଅକ୍ଟୋବରରେ ବାତ୍ୟା ଆସିଲେ ଛନକା ପଶୁଛି ।
