ରାଜ୍ୟରେ ୨୧% ନିଅଣ୍ଟିଆ ବର୍ଷା, ୧୯ ଜିଲାରେ ମରୁଡ଼ି ସ୍ଥିତି
ଭୁବନେଶ୍ୱର : ଚଳିତବର୍ଷ ମୌସୁମୀ ଠିକ ସମୟରେ ଓଡିଶା ଛୁଇଁଥିଲା। ଫଳରେ ସ୍ୱାଭାବିକ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ ମଧ୍ୟ କରିଥିଲା । ମାତ୍ର ଆକଳନ ସଠିକ ହେଲାନି । ଜୁଲାଇ ୨୧ ସୁଦ୍ଧା ରାଜ୍ୟରେ ୨୧% ନିଅଣ୍ଟିଆ ବର୍ଷା ହୋଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୪୫.୨ମିମି ବର୍ଷା ହେବା କଥା। କିନ୍ତୁ ଏବେ ସୁଦ୍ଧା ୩୩୦.୬ମିମି ବର୍ଷା ହୋଇଛି। ୧୮ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ଭଦ୍ରକରେ ଅତିନିଅଣ୍ଟିଆ ବର୍ଷା ହୋଇଛି। ଏଠାରେ ୫୧% କମ୍ ବା ୧୫୬.୮ମିମି ବର୍ଷା ହୋଇଛି। ଏବେ ସୁଦ୍ଧା ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳରେ ନିଅଣ୍ଟିଆ ବର୍ଷା ହୋଇଛି। ଫଳରେ ରାଜ୍ୟର ୧୯ ଜିଲାରେ ସ୍ଥିତି ଏବେ ସାଂଘାତିକ। ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏ ବର୍ଷ ଖରିଫ୍ ଧାନ ଅମଳ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। କୃଷି ବିଭାଗର ସୂଚନା ଅନୁଯାୟୀ, ଗତ ୧୦ବର୍ଷରେ ଖରିଫ୍ ଧାନ ଅମଳ ବହୁତ ବଢ଼ିଛି। ଅଧିକାଂଶ ବର୍ଷ ୮୦ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଧାନ ଅମଳ ହୋଇଛି। କିନ୍ତୁ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଥିବାରୁ କେତେ ଧାନ ଅମଳ ହେବ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ଏହାକୁ ନଜରରେ ରଖି କୃଷି ବିଭାଗ ଓୟୁଏଟିର କୃଷି ସମ୍ପ୍ରସାରଣ ବିଭାଗ ସହାୟତାରେ ଶସ୍ୟ ଆପଦକାଳୀନ ଯୋଜନା ଜାରି କରାଯାଇଛି। ଚାଷୀ କେଉଁ ଭଳି ଧାନ, ଶସ୍ୟ ବୁଣିବେ, କେମିତି ଯତ୍ନ ନେବେ ତା’ର ସୂଚନା ଦିଆଯାଇଛି।
ରାଜ୍ୟର ଅଧିକାଂଶ ସ୍ଥାନରେ ଜୁନ୍ ପହିଲାରୁ ଜୁଲାଇ ୨୫ମଧ୍ୟରେ ଧାନ ବୁଣା ଓ ରୁଆ କାମ ଶେଷ ହୋଇଥାଏ। ହେଲେ ଏଥର ନିଅଣ୍ଟିଆ ବର୍ଷା ଯୋଗୁଁ ବହୁ ସ୍ଥାନରେ ଗଜା ମରୁଡ଼ି ହୋଇଯାଇଥିବାବେଳେ ତଳି ଜଳିଯାଇଛି। ତେଣୁ ଏଥର ପୁଣି ୨୦୧୦, ୨୦୧୧ ମସିହା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି। ୨୦୧୨ରୁ ୨୦୧୯ ମଧ୍ୟରେ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପରିସ୍ଥିତି ସତ୍ତ୍ବେ ୨୦୧୩ ଓ ୨୦୧୮ ମସିହାକୁ ଛାଡ଼ି ବାକି ବର୍ଷରେ ଭଲ ଖରିଫ୍ ଧାନ ଅମଳ ହୋଇଥିଲା। ଏହି ସମୟରେ ବାର୍ଷିକ ହାରାହାରି ଖରିଫ୍ ଧାନ ଅମଳ ୮୫ଲକ୍ଷ ମେଟ୍ରିକ୍ ଟନ୍ ପାଖାପାଖି ଥିଲା। ଏପରିକି ୨୦୧୯ରେ ଦୁଇଟି ବାତ୍ୟା ସତ୍ତ୍ବେ ୮୦. ୬୫ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ହୋଇଥିଲା। କିନ୍ତୁ ୨୦୨୦ରେ ମରୁଡ଼ି ପରିସ୍ଥିତି ନଥିଲେ ବି ବାତ୍ୟା ଅମ୍ଫାନ, ପ୍ରବଳ ବର୍ଷା ଏବଂ କୋଭିଡ ପରିସ୍ଥିତି ଯୋଗୁଁ ଧାନ ଉତ୍ପାଦନ ୭୭.୪୦ଲକ୍ଷ ମେଟ୍ରିକ୍ ଟନ୍କୁ ଖସି ଆସିଥିଲା। ଚଳିତବର୍ଷ କୋଭିଡ ପରିସ୍ଥିତି ଲାଗି ରହିଥିବାବେଳେ ମରୁଡ଼ି ପରିସ୍ଥିତି ଖରିଫ୍ ଧାନ ଅମଳ ଉପରେ ସାଂଘାତିକ ପ୍ରଭାବ ପକାଇବ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ୨୦୧୮ରେ ୯ଟି ଜିଲ୍ଲାରେ ୭୦ଟି ବ୍ଲକ୍ରେ ମରୁଡ଼ି ହୋଇଥିବାବେଳେ ଏବେ ୧୯ଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଅଛି। ଯଦି ଜୁଲାଇ ଶେଷ ସପ୍ତାହରେ ଭଲ ବର୍ଷା ନହୁଏ ତେବେ ଚଳିତ ବର୍ଷର ସ୍ଥିତି ୨୦୧୮କୁ ବି ବଳିଯିବାର ଆଶଙ୍କା ସୃଷ୍ଟି ହୋଇଛି।
ଏ ନେଇ ଓୟୁଏଟିର କୃଷି ସମ୍ପ୍ରସାରଣ ବିଭାଗ ଡିନ୍ ପ୍ରଫେସର ପ୍ରସନ୍ନଜିତ୍ ମିଶ୍ର କହିଛନ୍ତି ଯେ, ଆମେ କିଛି ଦିନ ତଳେ କୃଷି ବିଭାଗକୁ ରାଜ୍ୟର ମରୁଡ଼ି ସ୍ଥିତି ନେଇ ରିପୋର୍ଟ ଦେଇଥିଲୁ। ଯେଉଁମାନେ ତଳି ପକାଇନାହାନ୍ତି ସେମାନେ କ’ଣ କରିବେ, ତଳି ପକାଇଛନ୍ତି ଓ ନଷ୍ଟ ହୋଇଯାଇଛି ସେମାନେ କ’ଣ କରିବା ଦରକାର ତାହା ବିସ୍ତୃତ ଭାବେ ଜଣାଇଛୁ। ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଚାଷୀଙ୍କୁ ନିୟମିତ ବିହନଠାରୁ ୧୫ରୁ ୨୦ଦିନ କମ୍ ସମୟରେ ଅମଳ ହେଉଥିବା ବିହନ ବୁଣିବାକୁ ପରାମର୍ଶ ଦେଇଛୁ। ଯେଉଁଠି ୧୧୫ ବା ୧୬୦ଦିନର ବିହନ ବୁଣାଯାଉଥିଲା ସେଠାରେ ଏବେ ୧୪୦ଦିନର ବିହନ ବୁଣିବାକୁ କହିଛୁ। ଯେଉଁଠି ୧୪୦ଦିନେର ଅମଳ ବିହନ ବୁଣାଯାଉଥିଲା ସେଠାରେ ୧୨୫ରୁ ୧୩୦ଦିନରେ ଅମଳ ହେଉଥିବା ବିହନ ବୁଣିବାକୁ ପଡ଼ିବ। ଢିପ ଜମିରେ ମକା, ମୁଗ, ବିରି ଆଦି ବୁଣିବା ସହ ଅଣଧାନ ଫସଲ କରିବା ଭଲ ହେବ। ଖାଲ ଜମିରେ ଚାଷ କରୁଥିବା ଚାଷୀଙ୍କୁ ଆଉ କିଛି ଦିନ ଅପେକ୍ଷା କଲେ କିଛି ଅସୁବିଧା ନାହିଁ। ଅପରପକ୍ଷେ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ବିହନ ନିଗମକୁ ଅଧିକରୁ ଅଧିକ କିସମର ବିହନ ଉପଲବ୍ଧ କରିବାକୁ ପଡ଼ିବ। କେବଳ କେଉଁ ବିହନ ବୁଣିବେ କହିଦେଲେ ହେବନି। ଜ୍ଞାନକୌଶଳ ସହ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ହେବ।
