ରୋମାଞ୍ଚକର ସ୍ଥିତିରେ ଦ୍ବିତୀୟ ଟେଷ୍ଟ ! ୫୮ ରନ୍ରେ ଆଗୁଆ ଭାରତ
ଜୋହାନ୍ସବର୍ଗ : ରୋମାଞ୍ଚକର ସ୍ଥିତିରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ । ମଙ୍ଗଳବାର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଭାରତୀୟ ଟିମ ଦୃଢ ସ୍ଥିତିରେ ରହିଛି । ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଭାରତର ସ୍କୋର ୮୫/୨ ରହିଛି । ଫଳରେ ୫୮ ରନ୍ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ଦୁଇ ଅଭିଜ୍ଞ ଭେଟେରାନ ବ୍ୟାଟ୍ର ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଅପରାଜିତ ରହିଛନ୍ତି । ପୂଜାରା ୩୫ ଓ ରାହାଣେ ୧୧ ରନ୍ କରିଛନ୍ତି ।
ପ୍ରଥମ ଦିନ ପରି ଦ୍ବିତୀୟ ଦିନରେ ମଧ୍ୟ ବୋଲରଙ୍କ ଶୋ ଦେଖିବାକୁ ମିଳିଥିଲା ଓ ମୋଟ ୧୧ଟି ୱିକେଟ ପଡିଥିଲା । ଭାରତ ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇଂନିସରେ ୨୨୯ରେ ଅଲଆଉଟ୍ କରିବାପରେ ଘରୋଇ ଟିମକୁ ୨୭ ରନ୍ର ଲିଡ୍ ମିଳିଥିଲା । ଶାର୍ଦ୍ଦୁଳ ଠାକୁର ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ସହ ୭ଟି ୱିକେଟ ହାତେଇଥିଲେ । ପରେ ଭାରତ ଦ୍ବିତୀୟ ଇଂନିସ ଆରମ୍ଭ ମଧ୍ୟ ଭଲ ରହିନଥିଲା । ଇଂନିସର ସପ୍ତମ ଓଭରରେ କାମଚଳା କ୍ୟାପଟେନ କେଏଲ ରାହୁଲ ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ଦ୍ବାଦଶ ଓଭରରେ ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲ ଏଲବିଡବ୍ଲୁ ଆଉଟ୍ ହେବାପରେ ଭାରତ ସଙ୍କଟରେ ପଡିଥିଲା । ମାତ୍ର ପୂଜାରା ଓ ରାହାଣେ ଯତ୍ନର ସହିତ ଖେଳିବା ସହ ଷ୍ଟମ୍ପ୍ ଅପସାରଣ ପର୍ଯ୍ୟନ୍ତ ଭାରତକୁ ଆଉ କୌଣସି କ୍ଷତି ପହଞ୍ଚାଇବାକୁ ଦେଇନଥିଲେ ।
ସଂକ୍ଷିପ୍ତ ସ୍କୋର: ଭାରତ ୨୦୨/୧୦ ଓ ୮୫/୨(ଚେତେଶ୍ବର ପୂଜାରା ୩୫*, ମାର୍କୋ ଜାନସେନ ୧-୧୮) ବନାମ ଦକ୍ଷିଣ ଆଫ୍ରିକା ୨୨୯/୧୦(କିଗାନ ପିଟରସନ ୬୨, ତେମ୍ବା ବାଭୁମା ୫୧; ଶାର୍ଦ୍ଦୁଳ ଠାକୁର ୭/୬୧)
