ବାଲେଶ୍ୱରରେ ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀ ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଜିଲା ସଂସ୍କୃତି ଭବନ ପରିସରରେ ନବନିର୍ମିତ ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି(ଭର୍ଚୁଆଲ)ରେ ବୁଧବାର ଉଦ୍ଘାଟନ କରିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଲଳିତ କଳା ଏକାଡ଼େମୀର ମିଳିତ ଆନୁକୂଲ୍ୟରେ ନିର୍ମିତ ଭୁବନେଶ୍ୱରର କଳିଙ୍ଗ ଆର୍ଟ ଗ୍ୟାଲେରୀ ଏବଂ ଗଞ୍ଜାମ, ପୁରୀ, ବାଲେଶ୍ୱର, ସମ୍ବଲପୁର ଓ କୋରାପୁଟ ଠାରେ ନିର୍ମିତ ୫ଟି ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଆଭାସିରେ ପୂର୍ବାହ୍ନ ୧୧ଟା ୩୦ମିନିଟ୍ ସମୟରେ ଉଦ୍ଘାଟିତ ହୋଇଥିଲା । ଏହି ଅବସରରେ ଓଡ଼ିଶାର ସାଂସ୍କୃତିକ ଗୌରବ ଓ ଐତିହ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ସଂସ୍କୃତି ଏବଂ କଳାର ଗନ୍ତାଘର । ଆମ ଚିତ୍ରକଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଏବଂ ହସ୍ତଶିଳ୍ପର ପରମ୍ପରା ଅନନ୍ୟ । ଏହା ଆମ ସାଂସ୍କୃତିକ ଐତିହ୍ୟର ବିବିଧତାକୁ ଦର୍ଶାଇଥାଏ । କଳା ଆମ ରକ୍ତରେ ପ୍ରବାହିତ ଏବଂ ମସ୍ତିଷ୍କରେ ସନ୍ନିବେଶିତ । ଏହି କଳାତ୍ମକ ପରମ୍ପରାକୁ ବଞ୍ଚାଇବାର ଦାୟିତ୍ୱ ଆମ ସମସ୍ତଙ୍କର । ଏହାର ସୁରକ୍ଷା, ସଂରକ୍ଷଣ ସହିତ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ମିଳିତ ଉଦ୍ୟମ ଏକାନ୍ତ ଆବଶ୍ୟକ । ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀ ସ୍ଥାନୀୟ ଚିତ୍ରଶିଳ୍ପୀ ଓ କଳାପ୍ରେମୀଙ୍କୁ ଉତ୍ସାହିତ କରିବ ଏବଂ କଳାର ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆର୍ଟ ଗ୍ୟାଲେରୀଗୁଡ଼ିକ ସ୍ଥାନୀୟ ଚିତ୍ରଶିଳ୍ପୀମାନଙ୍କ ସୃଜନାତ୍ମକ ବିକାଶରେ ବ୍ୟାପକ ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶା ଲଳିତ କଳା ଏକାଡ଼େମୀ ସଭାପତି ସୁଦର୍ଶନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭିକେ ପାଣ୍ଡିଆନ, ଉନ୍ନୟନ କମିଶନର ପିକେ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଜିଲା ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଲଳିତ କଳା ଏକାଡ଼େମୀ କାର୍ଯ୍ୟକାରୀ ସମିତି ସଭ୍ୟ ଗଜେନ୍ଦ୍ର ପ୍ରସାଦ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ୱର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ବିଭିନ୍ନ ଚିତ୍ରଶିଳ୍ପୀଙ୍କ ୩୩ଟି ଚିତ୍ରକଳା ସ୍ଥାନିତ ହୋଇଥିବା ବେଳେ ଅତିଥିମାନେ ଏହାକୁ ବୁଲି ଦେଖିବା ସହ ଏହାର ଉଚ୍ଚ ପ୍ରଶଂସା କରିଥିଲେ । ଜିଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଜିଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
