ସଂସଦରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ : ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନ ସାକାର ହେବା କଂଗ୍ରେସ ଚାହୁଁନି
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଅବସରରେ ଆଜି ଲୋକସଭାରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏହି ଅବସରରେ ସେ ଓଡ଼ିଶାର ଉଦାହରଣ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ୧୯୯୫ ପରେ ଓଡ଼ିଶାରେ ଆଉ କଂଗ୍ରେସ କ୍ଷମତାକୁ ଆସିପାରି ନାହିଁ । ସେହିପରି ନାଗାଲାଣ୍ଡ ଓ ଗୋଆରେ ୨୮ ବର୍ଷ ହେଲା ଜିତିପାରିନି । ତାମିଲନାଡୁରେ ୧୯୬୨ ପରେ ଦଳ ଆଉ କ୍ଷମତାକୁ ଫେରିନି । ଗୁଜରାଟ ଓ ୟୁପିରେ ବି ଦଳ ଆଉ କ୍ଷମତାକୁ ଆସି ପାରୁନି । କିନ୍ତୁ ଏତେ ପରାଜୟ ପରେ ବି କଂଗ୍ରେସ ତାର ଅହଙ୍କାର ଛାଡ଼ିପାରିନି । ସେ କହିଛନ୍ତି, ଅନ୍ଧ ବିରୋଧ ଲୋକତନ୍ତ୍ରର ପରିପନ୍ଥୀ । କରୋନା ଲକ୍ଡାଉନ୍ ଚାଲିଥିବା ବେଳେ କଂଗ୍ରେସ ସବୁ ସୀମା ଡେଇଁଗଲା । ଶ୍ରମିକମାନଙ୍କୁ ମାଗଣା ଟିକେଟ ଦେଇ ଘରକୁ ପଠାଇ ସଂକ୍ରମଣ ବଢ଼ାଇଥିଲା । କରୋନା ମୋଦି ଛବିକୁ ମଳିନ କରିଦେବ ବୋଲି କିଛି ଲୋକ ଭାବିଥିଲେ । କଂଗ୍ରେସର କେତେ ନେତା ଲୋକଙ୍କୁ କରୋନା ସଚେତନ କରିଥିଲେ? ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନ ସାକାର ହେବା କଂଗ୍ରେସ ଚାହୁଁନି । କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆପଣଙ୍କ ବିରୋଧ ଦେଖିଲେ ଲାଗୁଛି ଆପଣମାନେ ମନସ୍ଥିର କରିଛନ୍ତି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ କ୍ଷମତାକୁ ନଆସିବାକୁ । ପିଢ଼ି ପରେ ପିଢ଼ି ମହଲରେ ବସିଥିବା ଲୋକ ଚାଷୀଙ୍କ ଦୁଃଖ ବୁଝିପାରିବେନି । ସେମାନଙ୍କୁ ଚାଷୀଙ୍କ ନାଁ ନେଇ ରାଜନୀତି କରିବାର ଅଧିକାର ନାହିଁ । ଆପଣଙ୍କ ପାଇଁ ଫାଇଲ ବଡ଼ । ଆମ ପାଇଁ ଲୋକଙ୍କ ଲାଇଫ୍ ବଡ଼ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଦେଶକୁ ଉତୁଙ୍ଗ ଶିଖରରେ ପହଂଚାଇବାକୁ ଆମେ ସଂକଳ୍ପ ବଦ୍ଧ । ଦେଶ ସଶକ୍ତ ହୋଇ ଆଗକୁ ବଢ଼ି ଚାଲିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ପକ୍କା ଘର ଦିଆଯାଉଛି । ଗରିବଙ୍କୁ ପକ୍କା ଘର, ଶୌଚାଳୟ ଓ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଇଛି । କରୋନା ଆରମ୍ଭରେ ବିଶ୍ୱ ଭାବୁଥିଲା ଭାରତ ମୁକାବିଲା କରିପାରିବନି । ଆଜି ଭାରତ ତାର ଶକ୍ତି ପ୍ରଦର୍ଶନ କରିଛି ।
କରୋନା ଭୂତାଣୁ ହେଉଛି ଏକ ବିଶ୍ୱବ୍ୟାପୀ ମହାମାରୀ । କିନ୍ତୁ କେତେକ ରାଜନେ?ତିକ ଦଳ ଏହାକୁ ନିଜ ଲାଭ ପାଇଁ ବ୍ୟବହାର କରିଥିଲେ । କରୋନା ମହାମାରୀ ସମୟରେ କଂଗ୍ରେସ ନିଜର ସବୁ ସୀମା ଅତିକ୍ରମ କରିଥିଲା । କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ପାଇଁ ଆଜି ଭାରତର ଏଭଳି ଅବସ୍ଥା ହୋଇଛି । ପ୍ରଥମ ଲହର ସମୟରେ, ଯେତେବେଳେ ଲୋକମାନେ ଲକଡାଉନ୍ ଅନୁସରଣ କରୁଥିଲେ ଏବଂ ନିର୍ଦ୍ଦେଶନାମା ଅନୁଯାୟୀ ଲୋକମାନେ ଯେଉଁଠାରେ ଅଛନ୍ତି ସେଠାରେ ରହୁଥିଲେ, ସେତେବେଳେ କଂଗ୍ରେସ ମୁମ୍ବାଇ ଷ୍ଟେସନରେ ଠିଆ ହୋଇ ନିରୀହ ଲୋକଙ୍କୁ ଭୟଭୀତ କରୁଥିଲା । ପ୍ରଥମ ଲହର ଯେତେବେଳେ ଲୋକଙ୍କୁ କୁହାଯାଇଥିଲା ଯେ ଯେଉଁଠାରେ ଅଛ ସେଠାରେ ହିଁ ରୁହ ସେତେବେଳେ କଂଗ୍ରେସ ପ୍ରବାସୀମାନଙ୍କୁ ମୁମ୍ବାଇ ଛାଡିବାକୁ ପ୍ରବର୍ତାଇଥିଲା । ଲୋକଙ୍କ ଆଖିରେ ମହାନ ହେବା ପାଇଁ କଂଗ୍ରେସ ମୁମ୍ବାଇରୁ ୟୁପି ଏବଂ ବିହାରକୁ ଯିବାକୁ ମାଗଣା ଟିକେଟ ମଧ୍ୟ ଯୋଗାଇଥିଲା । ଏହା ପାଇଁ ସଂକ୍ରମଣ ଧିରେ ଧିରେ ବଢ଼ିଚାଲିଲା । ଦିଲ୍ଲୀ ସରକାର ମଧ୍ୟ ବସ୍ତିକୁ ଯାଇ ପ୍ରବାସୀମାନଙ୍କୁ କୋଭିଡ ମହାମାରୀ ପାଇଁ ଘରକୁ ଯିବାକୁ ପ୍ରବର୍ତାଇଥିଲା, ଯାହାର ଫଳ ଆମେ ଆଜି ଭୋଗୁଛେ । କିନ୍ତୁ ଭାରତ ସରକାର ସଠିକ ସମୟରେ ଟିକାକରଣ ଆରମ୍ଭ କରି ସଂକ୍ରମଣ ସହ ଲଢ଼ିବା ପାଇଁ ସକ୍ଷମ ହୋଇପାରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ଲୋକ ଅପେକ୍ଷା କରିଥିଲେ ଯେ ଏହି ଭୂତାଣୁ ମୋଦୀଙ୍କ ଭାବମୂର୍ତିକୁ ନଷ୍ଟ କରିଦେବେ । ଆମେ ‘ଭୋକାଲ ଫର୍ ଲୋକାଲ’ ଅଭିଯାନ ଚଳାଇ ମହାତ୍ମା ଗାନ୍ଧୀଜୀଙ୍କ ସ୍ୱପ୍ନକୁ ପୂରଣ କରୁଛୁ । ତେବେ ବିରୋଧୀଦଳ ଏହାକୁ କାହିଁକି ପରିହାସ କରୁଛନ୍ତି? ଯୋଗ ଏବଂ ଫିଟ୍ ଇଣ୍ଡିଆ ବିଷୟରେ ଆମେ ଆଲୋଚନା କରିଥିଲୁ କିନ୍ତୁ ଏହାକୁ ଧ୍ୟ ବିରୋଧୀ ଦଳ ପରିହାସ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସର ଏଭଳି କାମକୁ ନିନ୍ଦା କରି କହିଛନ୍ତି ଯେ, କଂଗ୍ରେସ ଯେଉଁଭଳି ବ୍ୟବହାର କରୁଛି, ୧୦୦ ବର୍ଷ ପର୍ଯ୍ୟନ୍ତ ବି ସେ କ୍ଷମତାକୁ ଆସିପାରିବେ ନାହିଁ ।
