ଦେଶର ପ୍ରଥମ ୱାଟର ମେଟ୍ରୋକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
କୋଚ୍ଚି : ଦେଶର ପ୍ରଥମ ୱାଟର ମେଟ୍ରୋ (କୋଚ୍ଚି ୱାଟର ମେଟ୍ରୋ)କୁ ମଙ୍ଗଳବାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଚ୍ଚି ୱାଟର ପ୍ରୋଜେକ୍ଟକୁ କେରଳର ଡ୍ରିମ ପ୍ରୋଜେକ୍ଟ ବୋଲି କୁହାଯାଉଛି। ଗତ ୯ବର୍ଷ ହେଲା ଦେଶରେ କନେକ୍ଟିଭିଟି ଭିତ୍ତି ଭୂମି ଉପରେ ଦ୍ରୁତ କାର୍ଯ୍ୟ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଚଳିତବର୍ଷ ବଜେଟରେ ମଧ୍ୟ ଇନଫ୍ରା ଖର୍ଚ୍ଚ ବାବଦକୁ ୧୦ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। କେବଳ ୱାଟର ମେଟ୍ରୋ ନୁହେଁ ପ୍ରଧାନମନ୍ତ୍ରୀ ଅନ୍ୟ ପ୍ରକଳ୍ପ ମଧ୍ୟ ଉଦଘାଟନ କରିଛନ୍ତି।
କୋଚ୍ଚିରେ ୱାଟର ମେଟ୍ରୋ ସମେତ ତିରୁଅନନ୍ତପୂରମରେ ପ୍ରଧାନମନ୍ତ୍ରୀ ଡିଜିଟାଲ ସାଇନ୍ସ ପାର୍କ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଲଜିଷ୍ଟିକ୍ ସେକ୍ଟରର କାୟା କଳ୍ପ ହେଉଛି। ଏଥିରେ ଭାରତୀୟ ରେଳ ଏବେ ସ୍ୱର୍ଣ୍ଣିମ ଯୁଗ ଆଡକୁ ଅଗ୍ରସର ହେଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। କେରଳର ଡ୍ରିମ ପ୍ରୋଜେକ୍ଟ କୋଚ୍ଚି ୱାଟର ମେଟ୍ରୋ ପ୍ରକଳ୍ପରେ ମୋଟ ୭୮ଟି ଇଲେକ୍ଟ୍ରିକ୍ ବୋଟ୍ ଓ ୩୮ଟି ଟର୍ମିନାଲ ରହିଛି। ଏଥି ପାଇଁ ମୋଟ ୧,୩୬.୮୩ କୋଟି ଟଙ୍କା ବିନିଯୋଗ ହୋଇଛି।
ଏହି ପ୍ରକଳ୍ପକୁ କେରଳ ସରକାର ଓ କେଏଫ ଡବ୍ଲୁ ପାଣ୍ଠି ପ୍ରଦାନ କରିଛନ୍ତି। କେଏଫ ଡବ୍ଲୁ ଏକ ଜର୍ମାନ ଫଣ୍ଡିଂ ଏଜେନ୍ସୀ। ଏହି ସେବା ସେହି ସବୁ ସହରଙ୍କ ନିମନ୍ତେ ବରଦାନ ଯେଉଁଠାକୁ ପାରମ୍ପରିକ ମେଟ୍ରୋ ରେଲ ଚଳାଇବାରେ ଅସୁବିଧା ରହିଛି। ୱାଟର ମେଟ୍ରୋ ପ୍ରକଳ୍ପରେ ପ୍ରତି ୧୫ ମିନିଟ୍ ଅନ୍ତରାଳରେ ୧୨ ଘଣ୍ଟା ସେବା ଯୋଗାଇ ଦିଆଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ୨୩ଟି ବୋଟ୍ ଓ ୧୪ ଟର୍ମିନାଲରେ ଆରମ୍ଭ ହୋଇଛି। ପ୍ରତି ମେଟ୍ରୋରେ ୫୦ରୁ ୧୦୦ ଯାତ୍ରୀ ଯାତ୍ରା କରିପାରିବେ। ସେହିପରି ଏହି ମେଟ୍ରୋରେ ଯାତ୍ରା ବେଶେ ଶସ୍ତା। ସେହିପରି ନିୟମିତ ଯାତ୍ରୀଙ୍କ ଲାଗି ସାପ୍ତାହିକ ଓ ମାସିକ ପାସ୍ ବ୍ୟବସ୍ଥା ମଧ୍ୟ ରହିଛି।
