କାବୁଲରୁ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଉଡ଼ିଲା ବିମାନ
- ଆଫଗାନଙ୍କ ପାଇଁ ଭାରତ ସରକାର ଘୋଷଣା କଲେ ଇ ଏମରଜେନ୍ସି ଏକ୍ସ-ମିସ୍କ ଭିସା
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବାକୁ ଯାଉଛି । ଏନେଇ ସେଠାକାର ଲୋକେ ଦେଶ ଛାଡ଼ୁଛନ୍ତି । ଏହି ପରିପ୍ରେକ୍ଷୀରେ କାବୁଲରୁ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ନେଇ ଉଡ଼ିଲା ବିମାନ । ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ମାଧ୍ୟମରେ ୧୨୦ରୁ ଅଧିକ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅଣାଯାଉଛି । କର୍ମଚାରୀମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କାବୁଲ ବିମାନବନ୍ଦରର ସୁରକ୍ଷିତ ଅଞ୍ଚଳ ଭିତରକୁ ଅଣାଯାଇଥିଲା। ଏହା ପରେ ଏବେ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଉଛି। କାବୁଲରେ ପାଖାପାଖି ୫୦୦ରୁ ଅଧିକ ଲୋକ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ୩୦୦ରୁ ୪୦୦ ଆଇଟିବିପି ଯବାନ ଆଫଗାନିସ୍ତାନରେ ପହଞ୍ଚିଛନ୍ତି।
ସେପଟେ ଆଫଗାନିସ୍ତାନ ସଙ୍କଟ ନେଇ ଆମେରିକା ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏସ୍.ଜୟଶଙ୍କର । ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଭିସା ନିୟମରେ ପରିବର୍ତ୍ତନ କରାଯାଇଛି । ଏବେ ଇ ଏମରଜେନ୍ସି ଏକ୍ସ-ମିସ୍କ ଭିସା ତିଆରି ହୋଇଛି । ଏହା ମାଧ୍ୟମରେ ତାଲିବାନ ନିୟନ୍ତ୍ରିତ ଦେଶ ଆଫଗାନିସ୍ତାନକୁ ଛାଡିବାକୁ ଚାହୁଁଥିବା ଲୋକେ ଭିସା ପାଇଁ ଶୀଘ୍ର ଆବେଦନ କରି ଶୀଘ୍ର ଭିସା ପାଇପାରିବେ। ତେବେ କାବୁଲ ଏୟାରସ୍ପେସ ବନ୍ଦ ହେବା ପରେ ଏବେ କେବଳ ସେନା ବିମାନ ଚଳାଚଳକୁ ଅନୁମତି ଦିଆଯାଇଛି। ଗତକାଲି ଦୁଇଟି ଏୟାରଇଣ୍ଡିଆ ବିମାନ କାବୁଲ ଯିବ ବୋଲି ଯୋଜନା କରାଯାଇଥିବା ବେଳେ କାବୁଲ ଏୟାରସ୍ପେସ ବନ୍ଦ ହେବା ନେଇ ଖବର ମିଳିଥିଲା। ଏହା ପରେ ଏୟାରଇଣ୍ଡିଆ ବିମାନ ଉଡ଼ାଣ ବାତିଲ କରାଯାଇ ବାୟୁସେନା ବିମାନକୁ କାବୁଲ ପଠାଯାଇଥିଲା। ଏବେ କାବୁଲରେ ଥିବା ଭାରତୀୟ ଦୂତାବାସ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଅଣାଯାଉଥିବା ବେଳେ ପରେ ଭାରତୀୟ ନାଗରିକଙ୍କୁ ଅଣାଯିବ ବୋଲି ଜଣାପଡ଼ିଛି।
