ଆଜିଠୁ ୪୩ ରୁଟରେ ଗଡ଼ିବ ଓଏସ୍ଆର୍ଟିସି ବସ୍
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି)ର ବସ୍ ସେବା ଆଜିଠାରୁ ଆରମ୍ଭ ହେବ। କୋଭିଡ ସଂକ୍ରମଣ କମ୍ ଥିବା ଜିଲ୍ଲାର(କାଟାଗୋରି-ଏ) ୪୩ଟି ରୁଟ୍ରେ ବସ୍ ଚାଲିବ। ବସ୍ ଚଳାଚଳ ସମୟରେ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ସିଟ୍ କ୍ଷମତା ଠାରୁ ଅଧିକ ଯାତ୍ରୀଙ୍କୁ ନିଆଯିବ ନାହିଁ। ସବୁ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହା ସହ ସାନିଟାଇଜର୍ ବ୍ୟବସ୍ଥା ଓ ସାମାଜିକ ଦୂରତା ରକ୍ଷା କରାଯିବ ବୋଲି ଓଏସ୍ଆର୍ଟିସି ପକ୍ଷରୁ ସୂଚନା ଦିଆଯାଇଛି।
ଓଏସଆରଟିସି ବସରେ ଯାତ୍ରା କରିବା ସମୟରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏହି ବସଗୁଡିକ ଆଜିଠାରୁ ରାଜ୍ୟ ସଡକ ପରିବହନ ନିଗମର ୧୬ଟି ଡିପୋରୁ ଚାଲିବ। ଏ କାଟୋଗୋରୀ ଜିଲ୍ଲାଗୁଡ଼ିକରେ ଆନ୍ତଃଜିଲ୍ଲା ବସ୍ ଦ୍ୱାରା ସାଧାରଣ ପରିବହନ କେବଳ ବସିବା କ୍ଷମତା ସହିତ କାର୍ଯ୍ୟକ୍ଷମ ହେବ। କୌଣସି ଯାତ୍ରୀଙ୍କୁ ଠିଆ ହେବାକୁ ଦିଆଯିବ ନାହିଁ। ଡିଜେନ୍ସିଫିକେସନ୍ ଏବଂ ସାନିଟାଇଜେସନ୍ ପରେ ବସ ଗଡିବ । ସାମାଜିକ ଦୂରତା ବଜାୟ ରଖିବା ଓ ବସରେ ଭିଡ଼ ନକରିବାକୁ ଚେୟାରମ୍ୟାନ୍ କମ ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ କୁମାର ପଟ୍ଟନାୟକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
