କରୋନା ବିରୁଦ୍ଧରେ ନୋଭାଭାକ୍ସ ଟିକା ୯୦% ପ୍ରଭାବି
- ଖୁବଶୀଘ୍ର ଅନୁମୋଦନ ପାଇଁ ଆବେଦନ କରିବ କମ୍ପାନି
ୱାଶିଂଟନ୍: ନୋଭାଭାକ୍ସର କରୋନା ଟିକା କରୋନାଭାଇରସ୍ ପ୍ରକାରଗୁଡିକ ସହିତ ୯୦ ପ୍ରତିଶତରୁ ଅଧିକ ପ୍ରଭାବଶାଳୀ ବୋଲି ଆମେରିକାର ଏକ ବୃହତ ଅଧ୍ୟୟନରୁ ଜଣାପଡିଛି । ଏନେଇ ଟିକା ପ୍ରସ୍ତୁତକାରୀ କମ୍ପାନି ନୋଭାଭାକ୍ସ ଆଜି ଟୁଇଟ କରି ସୂଚନା ଦେଇଛି । ଅଧ୍ୟୟନରୁ ଜଣାପଡିଛି ଯେ, ଟିକା ମଧ୍ୟମ ଏବଂ ଗୁରୁତର ରୋଗୀଙ୍କୁ ୧୦୦% ସୁରକ୍ଷା ଦେବାକୁ ସମର୍ଥ । ଟିକା ମୋଟ ୯୦.୪% ଫଳପ୍ରଦ ହୋଇଥିବା ନେଇ କମ୍ପାନି କହିବା ସହ ଅଧ୍ୟୟନରେ ଆମେରିକା ଏବଂ ମେକ୍ସିକୋର ୧୧୯ଟି ସାଇଟରେ ୨୯,୯୬୦ ଅଂଶଗ୍ରହଣକାରୀଙ୍କୁ ସାମିଲ କରାଯାଇଥିବା କହିଛି ନୋଭାଭାକ୍ସ।
ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚି ଚାଲିଛି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିବା ମହାମାରୀରେ ପ୍ରଭାବିତ ହୋଇଛନ୍ତି କୋଟି କୋଟି ଲୋକ । କରୋନା ମହାମାରୀକୁ ରୋକିବା ପାଇଁ ବିଶ୍ବରେ ଟିକାକରଣ ମଧ୍ୟ ଦୃତ ଗତିରେ ଜାରି ରହିଛି । ଭାରତରେ ମଧ୍ୟ ଟିକାକରଣ ଦୃତ ଗତିରେ ଜାରି ରହିଛି । ଏହାରି ମଧ୍ୟରେ ଭ୍ୟାକସିନ ନିର୍ମାତା କମ୍ପାନୀ ନୋଭାଭାକ୍ସ ସୋମବାର ଏହାର ଟିକା ସଂକ୍ରମଣକୁ ରୋକିବାରେ ପ୍ରଭାବି ବୋଲି ଦାବି କରିଛି । କରୋନା ଭ୍ୟାରିଆଣ୍ଟ ବିରୁଦ୍ଧରେ ନୋଭାଭାକ୍ସ ଟିକା ୯୦ ପ୍ରତିଶତରୁ ଅଧିକ ପ୍ରଭାବି ହେବା ସହିତ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ଆମେରିକୀୟ କମ୍ପାନୀ ନୋଭାଭାକ୍ସ ଗତ ବର୍ଷ ଅଗଷ୍ଟ ମାସରେ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସହିତ ଡିଲ କରିଥିଲା । ଏହି ସ୍ବାକ୍ଷର ମାଧ୍ୟମରେ ଭାରତରେ ପ୍ରାୟ ୨୦୦ କୋଟି ଟିକା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଡିସେମ୍ବର ଶେଷ ସୁଦ୍ଧା ଆମେରିକା ୟୁରୋପ ସମେତ ଅନ୍ୟ ଦେଶମାନଙ୍କୁ ଟିକା ଯୋଗାଇବାକୁ ଳକ୍ଷ୍ୟ ରଖିଛି । ନୋଭାଭାକ୍ସ ମାସକୁ ପ୍ରାୟ ୧୦ କୋଟି ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଷ୍ଟେନଲୀଏର୍କ କହିଛନ୍ତି, ‘ନୋଭାଭାକ୍ସ ଟିକା ପ୍ରଥମେ ନିମ୍ନ ଏବଂ ମଧ୍ୟମ ଆୟ ଦେଶମାନଙ୍କୁ ପ୍ରଦାନ କରାଯିବାକୁ ଲକ୍ଷ ରଖାଯାଇଛି । ଏହି ଟିକା ପରୀକ୍ଷଣ ପାଇଁ ୧୮ ବର୍ଷରୁ ଉର୍ଦ୍ଦ୍ବ ପ୍ରାୟ ୩୦ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା ।
