ଓଡ଼ିଶା ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି, ଆଜି ଶପଥ ନେବେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ
କଟକ : ଓଡିଶା ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି । ଆଜି ନୂତନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ । ବୁଧବାର ଦିନ ୧୦ଟାରେ ହାଇକୋର୍ଟରେ ହେବ ଶପଥ ଗ୍ରହଣ ସମାରୋହ । ହାଇକୋର୍ଟ ପୁରୁଣା ବିଲ୍ଡିଂର ପୂର୍ବଭାଗ ଲନରେ ଆୟୋଜିତ ଉତ୍ସବରେ ତାଙ୍କୁ ଶପଥ ଗ୍ରହଣ କରାଇବେ ରାଜ୍ୟପାଳ ରଘୁବର ଦାସ ।
ପାଟନା ହାଇକୋର୍ଟରେ ବରିଷ୍ଠ ବିଚାରପତି ଥିଲେ ଜଷ୍ଟିସ ସିଂ। ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ ଉପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ କେନ୍ଦ୍ର ସରକାର ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ । ଜଷ୍ଟିସ ଶୁଭାଶିଷ ତାଳପତ୍ର ଗତ ଅକ୍ଟୋବର ୩ ତାରିଖରେ ଅଵସର ନେବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ଖାଲି ରହିଥିଲା । ଡକ୍ଟର ଜଷ୍ଟିସ ବି. ଆର. ଷଡ଼ଙ୍ଗୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ ତୁଲାଉଥିଲେ ।
୧୯୬୩ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଏଲଏଲବିରେ ଡିଗ୍ରୀ କରିବା ପରେ ୧୯୯୦ ଅକ୍ଟୋବର ୩୦ରୁ ଜଣେ ଓକିଲ ଭାବେ କାମ ଆରମ୍ଭ କରିଥିଲେ । ତାଙ୍କୁ ୧୯୯୮ରେ କେନ୍ଦ୍ର ସରକାର ଅତିରିକ୍ତ ସ୍ଥାୟୀ ଆଇନଜୀବୀ ଭାବେ ନିଯୁକ୍ତ କରିଥିଲେ ଏବଂ ସେ ୨୦୦୧ ଯାଏଁ ଏହି ପଦରେ କାମ କରିଥିଲେ । ସେ ମୁଖ୍ୟତଃ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ସୀମା ଶୁଳ୍କ ଓ ଶ୍ରମ ଆଇନ ଅନ୍ତର୍ଗତରେ ଆସୁଥିବା ଅପରାଧିକ ମାମଲାର ପରିଚାଳନା କରୁଥିଲେ ।
ପରବର୍ତ୍ତୀ ସମୟରେ ସେ ପାଟନା ହାଇକୋର୍ଟରେ ଆକାଉଣ୍ଟାଣ୍ଟ ଜେନେରାଲ ଅଫିସ ପକ୍ଷରୁ ମାମଲା ପରିଚାଳନା ପାଇଁ କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲଙ୍କ ଦ୍ଵାରା ପ୍ୟାନେଲ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ । ୨୦୧୦ ସେପ୍ଟେମ୍ବର ୮ ତାରିଖରୁ ସେ ସିନିୟର ଆଡଭୋକେଟ୍ ଭାବରେ ନିଯୁକ୍ତ ହୋଇଥିଲେ । ତାଙ୍କୁ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ କରାଯାଇଥିଲା । ୨୦୧୦ ଡିସେମ୍ବରରୁ ସେ ଅତିରିକ୍ତ ଜଜ୍ ଭାବରେ ପାଟନା ହାଇକୋର୍ଟରେ ୨୦୧୨ ମାର୍ଚ୍ଚ ୫ ଯାଏଁ କାର୍ଯ୍ୟରତ ଥିଲେ ।
