ପୁଅର ଟାଙ୍ଗିଆ ଚୋଟରେ ମା’ ଗୁରୁତର
କନ୍ଧମାଳ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଲାପଡ଼ା ପଂଚାୟତର ଗୁରୁପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଟାଙ୍ଗିଆ ଚୋଟରେ ମା’ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।
ମିଳିଥିବା ରିପୋର୍ଟ ମୁତାବକ, ଗୁରୁପଡ଼ା ଗାଁର ବୈକୁଣ୍ଠ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ସାନ ପୁଅ ଅଶ୍ୱିନୀ ମିଶ୍ରର ବୁଧବାର ପ୍ରାୟ ୧୨ଟା ସମୟରେ କୌଣସି କାରଣବଶତଃ ମା’ ମାଳତୀ ମିଶ୍ରଙ୍କ ସହ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ଅଶ୍ୱିନୀ ଏକ ଧାରୁଆ ଟାଙ୍ଗିଆରେ ମା’କୁ ହାଣିଥିଲା । ଅଭିଯୁକ୍ତ ପୁଅ ଟାଙ୍ଗିଆ ସହ ଫିରିଙ୍ଗିଆ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଖବର ପାଇ ଫିରିଙ୍ଗିଆ ଥାନାର ଅତିରିକ୍ତ ଥାନାଧିକାରୀ ପ୍ରଦୀପ କୁମାର ରାଉଳ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ଦିଆଯାଇଛି ।
