ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମାଆ-ପୁଅଙ୍କୁ ୭ ଦିନ ଗୃହବନ୍ଦୀ, ଘର ନିକଟରେ ଲାଗିଲା ୧୪୪
ଭୁବନେଶ୍ବର: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମାଆ-ପୁଅଙ୍କୁ ୭ ଦିନ ଗୃହବନ୍ଦୀ । ନିଜ ଘରେ ଏହିପରି ବନ୍ଦୀଭାବେ ୭ ଦିନ ରହିଛନ୍ତି ୨ ଜଣ । ଭୁବନେଶ୍ୱର ସିଆରପି ଛକସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ ନିକଟରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚନା ଯେ, ବନ୍ଦୀ ବୃଦ୍ଧା ଜଣକ ହେଲେ ୭୬ବର୍ଷୀୟ ଅନୁସୟା ମହାନ୍ତି ଏବଂ ତାଙ୍କ ପୁଅ । ସେମାନେ ରହୁଥିବା ଏକ ୩ ମହଲା କୋଠାରେ ଜମିବାଡ଼ି ବିବାଦକୁ ନେଇ ଆଉ ଜଣେ ବ୍ୟକ୍ତି ଘର ଫାଟକରେ ତାଲା ପକାଇ ଦେଇଥିବା ଜଣାପଡିଛି । ଅନ୍ୟପଟେ ତାଲା ପକାଇଥିବା ସନ୍ଧ୍ୟାରାଣୀ ମହାନ୍ତି ଆଣିଛନ୍ତି ଅନୁସୟାଙ୍କ ବିରୋଧରେ ଅଭିଯୋଗ । ସମ୍ପତ୍ତି ନେଇ କୋର୍ଟରେ ମାମଲା ଥିବାବେଳେ ଅନୁସୟାଙ୍କ ପରିବାରଲୋକେ ଜୋର ଜବରଦସ୍ତ ଘର କବଜା କରୁଛନ୍ତି । ଘର ଭିତରେ ଦିନକୁ ଦିନ ଅଧିକ ଲୋକ ଯିବାଆସିବା କରୁଛନ୍ତି । ତେବେ ମାଆ-ପୁଅଙ୍କ ତାଲା ପକାଇବା ପରେ ନୟାପଲ୍ଲୀ ଥାନାରେ ସନ୍ଧ୍ୟାରାଣୀ ଏହି ଅଭିଯୋଗ କରିଛନ୍ତି । ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ବୃଦ୍ଧାଙ୍କୁ ବାହାରକୁ ଆସିବା ପାଇଁ ପୋଲିସ କହିଥିଲେ ମଧ୍ୟ ସେ, ନିଜ ଘର ଛାଡି ଆସିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଛନ୍ତି । ତେଣୁ ଘଟଣାକୁ ନେଇ ଘର ନିକଟରେ ଲୋକଙ୍କ ଗହଳିକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଛି ପୋଲିସ ।
