ଅଭିନବ ଉପାୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ : ବାଲୁକା ଚିତ୍ରକଳାରେ ‘ଯୁଦ୍ଧ ନୁହେଁ କେବଳ ଶାନ୍ତି’ ବାର୍ତ୍ତା
ସିମୁଳିଆ : ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କ୍ଷୀରକୋଣା ଉପେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସମ୍ପ୍ରତି ରୁଷ ଓ ୟୁକ୍ରେନର ଯୁଦ୍ଧ ବାଲୁକା ଚିତ୍ରକଳାରେ ସ୍ଥାନ ପାଇଛି । ଏଥିରେ ବାମ ପାର୍ଶ୍ୱରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଡାହାଣ ପାଶ୍ୱର୍ରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସିଙ୍କ ପ୍ରତିମୂର୍ତ୍ତି ଜାତୀୟ ପତାକା ମଧ୍ୟରେ ସ୍ଥାନ ପାଇଥିବା ବେଳେ ଆକ୍ରମଣରେ ସୁଉଚ୍ଚ ଅଟ୍ଟାଳିକା ଗୁଡ଼ିକର ଧ୍ୱଂସାବଶେଷ ଓ ରକ୍ତପାତର ନମୁନା ସ୍ଥାନ ପାଇଛି । ବାଲୁକା ଚିତ୍ର ଶିଳ୍ପୀ ଟୁନା ବେହେରା ଓ ତାଙ୍କ ସହଯୋଗୀ ବଂଶୀଧର ଦାସ ଛାତ୍ରୀଛାତ୍ରମାନଙ୍କ ସହଯୋଗରେ ‘ଯୁଦ୍ଧ ନୁହେଁ କେବଳ ଶାନ୍ତି’ ଆବଶ୍ୟକତାର ବାର୍ତ୍ତା ସାଧାରଣରେ ପ୍ରଶଂସା କରାଯାଇଛି ।
ଏହାକୁ କେନ୍ଦ୍ରକରି ମୁଖ୍ୟଅତିଥି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମଧ୍ୟ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନାକରି ପ୍ରତ୍ୟେକ ବ୍ୟକ୍ତି ନିଜକୁ ‘ମୁଁ କିଏ, ମୁଁ କେଉଁଠି ଅଛି’ ବୋଲି ପ୍ରଶ୍ନ କଲେ ଉତ୍ତର ଆପେଆପେ ମିଳିଯିବ । ସମଗ୍ର ବିଶ୍ୱ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ ହୋଇଛି । ପ୍ରାଶ୍ଚାତ୍ୟ ସଂସ୍କୃତିରେ ଜୀବନ ଜଡ଼ ସହିତ ତୁଳନା ହୋଇଥିବା ବେଳେ ଭାରତୀୟ ସଂସ୍କୃତିରେ ମହାନତା ରହିଛି । ପ୍ରାୟ ୫୦/୬୦ଟି ଦେଶରେ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିବା ବେଳେ ବାକି ଦେଶରେ ଏହା ନିର୍ମାଣ ହୋଇଗଲେ ପରିସ୍ଥିତି ପରିବେଶ ଆପଣାଛାଏଁ ବଦଳିଯିବ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ । ସେହିପରି ଏହି ବିଦ୍ୟାଳୟର ବୟୋବୃଦ୍ଧ ପୁରାତନ ଶିକ୍ଷକ ଜଗବନ୍ଧୁ ବେହେରାଙ୍କୁ ରାଜ୍ୟପାଳ କୁଣ୍ଡାଇ ପକାଇବାକୁ ନେଇ ସାଧାରଣରେ ପ୍ରସଂଶା କରାଯାଇଥିଲା । ଗତ ସୋମବାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ବୁଧବାର ଶେଷ ହେବ ବୋଲି ପୁରାତନ ଛାତ୍ରସଂସଦ ପକ୍ଷରୁ କୁହାଯାଇଛି ।
