ଅଗଷ୍ଟ ୧୧ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା
କଟକ : ଆସନ୍ତା ଅଗଷ୍ଟ ୧୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅଗଷ୍ଟ ୧୧ରୁ ଖାତା ଦେଖା ଆରମ୍ଭ ହୋଇ ତିନିଦିନରେ ଶେଷ ହେବ । ୭ଟି ଜିଲ୍ଲାରେ ୯ଟି କେନ୍ଦ୍ରରେ ପ୍ରାୟ ୧୫ ଶହ ପରୀକ୍ଷାର୍ଥୀଙ୍କ ଖାତା ଦେଖାଯିବ । ସୂଚନାଯୋଗ୍ୟ ଯେ କରୋନା ମହାମାରୀ ପାଇଁ ଏଥର ବାର୍ଷିକ ମାଟ୍ରିକ ପରୀକ୍ଷା ହୋଇ ନଥିଲା । ବୋର୍ଡ ପକ୍ଷରୁ ବିକଳ୍ପ ମୂଲ୍ୟାଙ୍କନ କରି ରେଜଲ୍ଟ ପ୍ରକାଶ କରାଯାଇଥିଲା । କିନ୍ତୁ ଯେଉଁ ଛାତ୍ରଛାତ୍ରୀ ଏହି ବିକଳ୍ପ ମୂଲ୍ୟାଙ୍କନରେ ଅସନ୍ତୋଷ ପ୍ରକଟ କରିଥିଲେ ସେମାନଙ୍କ ପାଇଁ ଅଫଲାଇନ ପରୀକ୍ଷା କରାଯାଇଥିଲା ।
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ଓ ମୁକ୍ତ ବିଦ୍ୟାଳୟ ଅଫଲାଇନ ପରୀକ୍ଷାର ମୂଲ୍ୟାୟନ ପାଇଁ ୭ଟି ଜିଲ୍ଲାର ୯ଟି କେନ୍ଦ୍ରରେ କରାଯିବା ନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତ ୧୧ ତାରିଖରେ ମୂଲ୍ୟାୟନ କାର୍ଯ୍ୟ ଆରମ୍ଭ କରାଯିବାର ନିଷ୍ପତି ହୋଇଥିବା ବେଳେ ସମସ୍ତ ଶିକ୍ଷକମାନଙ୍କୁ ୧୦ ତାରିଖରେ କେନ୍ଦ୍ରଗୁଡିକରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲ୍ଲାରେ ଉତ୍ତର ପୁସ୍ତିକାଗୁଡିକର ମୂଲ୍ୟାୟନ ୧୧ରୁ ଆରମ୍ଭ ହୋଇ ୩ ଦିନ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟ ପରୀକ୍ଷକ, ଡେପୁଟି ଚିଫ ପରୀକ୍ଷକ, ଆସିଷ୍ଟଣ୍ଟ ପରୀକ୍ଷକ ଓ ସ୍କୁଟିନାଇଜରମାନେ ୧୦ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ମୂଲ୍ୟାଙ୍କନ କେନ୍ଦ୍ରରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ୭ଟି ଜିଲ୍ଲାର ସମସ୍ତ ଅନୁଷ୍ଠାନର ମୁଖ୍ୟମାନେ ବୋର୍ଡ ୱେବସାଇଟରରେ ଉପଲବ୍ଧ ନିଯୁକ୍ତି ପତ୍ରକୁ ଡାଇନଲୋଡ କରି ସମସ୍ତ ଶିକ୍ଷକମାନଙ୍କୁ କେନ୍ଦ୍ରରେ ଯୋଗଦେବାକୁ ପଠାଇବେ । ଓଡିଶା ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁସାରେ ସମସ୍ତ କେନ୍ଦ୍ରରେ ମୂଲ୍ୟାଙ୍କନ କରାଯିବ । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କେନ୍ଦ୍ର ପର୍ଯ୍ୟବେକ୍ଷକଙ୍କୁ ଥର୍ମାଲ ସ୍କାନିଂ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ । ସମସ୍ତ ବର୍ଗର ୧୫ଶହ ପରୀକ୍ଷକ ଏହି ମୂଲ୍ୟାଙ୍କନ ପାଇଁ ନିୟୋଜିତ ହୋଇଥିବା ବୋର୍ଡ ପକ୍ଷରୁ ସଂପାଦକ ଶ୍ରୀକା\” ତରାଇ ସୂଚନା ଦେଇଛନ୍ତି ।
