ୱାଗନରେ ମୋରମ ଚାଲାଣ ପ୍ରସଙ୍ଗ; ରାଜ୍ୟ ସରକାରଙ୍କ ତରବରିଆ ଭାବରେ କାର୍ଯ୍ୟ ଅନାବଶ୍ୟକ ଓ ଅବାଞ୍ଛିତ : ଡିଆରଏମ
ନୀଳଗିରି : ମଙ୍ଗଳବାର ଦିନ ଗୋପିନାଥପୁର ନୂତନ ରେଳ ଷ୍ଟେସନରେ ୪ଟି ରେଲୱେ ୱାଗନରେ ଜେ.ସି.ବି. ଦ୍ୱାରା ମୋରମ ଲୋଡ ହେଉଥିବାର ଖବର ପାଇ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ, ତହସିଲଦାର ରଂଜନ ବେହେରା, ଏସ.ଡି.ପି.ଓ. ରୀତେଶ କୁମାର ମହାପାତ୍ର ଗୋପିନାଥପୁର ରେଲୱେ ଷ୍ଟେସନରେ ଚଢ଼ାଉ କରି ବ୍ୟବହୃତ ଜେସିବିକୁ ଜବତ କରି ଥାନାକୁ ଆଣିଥିଲେ । ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟରେ ଚୋରା ମୋରମ ଚାଲାଣକୁ ନେଇ ଖବର ପ୍ରସାରଣ ପରେ ବୁଧବାର ଦିନ ଡି.ଆର.ଏମ. ମହମ୍ମଦ ସୁଜତ୍ ହାସମୀ, ସିନିୟର ଡି.ପି.ଏମ. ରାଜେଶ କୁମାର, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଗୋପିନାଥପୁର ଷ୍ଟେସନରେ ପହଂଚି ତଦନ୍ତ କରିଥିଲେ । ମୋରମ ଉତୋଳନ କରାଯାଉଥିବା ଜାଗାଟି ରେଲୱେର । ରେଲୱେ ତା ନିଜସ୍ୱ ଜାଗାରୁ ରେଲୱେ କାର୍ଯ୍ୟରେ ଖଣିଜ ସଂପଦ ନେଇପାରିବ ବୋଲି ଡି.ଆର.ଏମ. ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପ୍ରଶାସନ ଅଧିକାରୀମାନେ ତରବରିଆ ଭାବେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ଅନାବଶ୍ୟକ ଓ ଅବାଞ୍ଛିତ ବୋଲି ପ୍ରକାଶ କରିଛନ୍ତି । ସାମଗ୍ରୀ ପରିବହନ ବେଳେ କୌଣସି ନିୟମକୁ ଅଣଦେଖା କରାଯାଇ ନ ଥିବା ବେଳେ ରେଲୱେ କାର୍ଯ୍ୟର ପ୍ରଗତିରେ ଏତାଦୃଶ କାର୍ଯ୍ୟ ବାଧା ସୃଷ୍ଟି କରିବା ସହ ଜନକଲ୍ୟାଣ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି ବୋଲି ରେଳ କର୍ତୁପକ୍ଷ ସୂଚନା ଦେଇଛନ୍ତି । ଖଡ଼ଗପୁର ଡିଭିଜନ ଯଥାଶୀଘ୍ର ଏହି ନୂତନ ବିଭାଗରେ ଯାତ୍ରୀ ସେବା ଆରମ୍ଭ ପାଇଁ ଏକ ମିଶନ ମୋଡ ଉପରେ କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ହଠାତ୍ ଏପରି ପଦକ୍ଷେପ ନେବା ପୂର୍ବରୁ ରେଳ ପ୍ରାଧିକରଣ ସହିତ ପରାମର୍ଶ କରିବା ଉଚିତ୍ ଥିଲା ବୋଲି ଡି.ଆର.ଏମ. ସୂଚନା ଦେଇଛନ୍ତି । ରେଳ ନିର୍ମାଣ ସାମଗ୍ରୀ ପରିବହନ ରେଳ ଜମିରୁ ଏବଂ ନିୟମ ଅନୁଯାୟୀ କରାଯାଇଥିବା ବେଳେ ଗୋପିନାଥପୁର ଓ ସୁତେଇ ଷ୍ଟେସନର କାର୍ଯ୍ୟକୁ ଯାଉଥିବା ବେଳେ ରେଳ ଜମିରୁ ଆବର୍ଜନା ସାମଗ୍ରୀ ସଫା କରିବାର କାର୍ଯ୍ୟ ପ୍ରାଥମିକତା ଭିତିରେ କରାଯାଉଛି ଏବଂ ଏହି ୱାଗନ ଉକ୍ତ ଉଦ୍ଦେଶ୍ୟରେ ବ୍ୟବହୃତ କରାଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଫଳରେ ସ୍ଥାନୀୟ ପ୍ରଶାସନକୁ ଶକ୍ତ ଧକ୍କା ଲାଗିଥିବା ବେଳେ ନୀଳଗିରି ତହସିଲଦାର ରଂଜନ ବେହେରା ମୋରମ ଉତୋଳନକୁ ନେଇ ଡି.ଆର.ଏମ.କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ସୂଚନା ଦେଇଛନ୍ତି । ତେବେ ରେଳ ବିଭାଗ ଉପରେ ସ୍ଥାନୀୟ ପ୍ରଶାସନ କି ପଦକ୍ଷେପ ନେବ ତାହାକୁ ଅନାଇ ବସିଛନ୍ତି ଅଂଚଳବାସୀ । ଯଦି ମୋରମଟି ରେଳ ବିଭାଗ କାର୍ଯ୍ୟରେ ଲାଗୁଥାଏ, ତେବେ ସରକାରଙ୍କ ଠାରୁ କ’ଣ ରାଜସ୍ୱ ଆଦାୟ କରିପାରିବୁ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।
