ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ‘ପ୍ରେରଣା ଦିବସ’ ସମାରୋହ ଅନୁଷ୍ଠିତ
ବାଲେଶ୍ୱର : ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ‘ପ୍ରେରଣା ଦିବସ’ ସମାରୋହ ରବିବାର ଦିନ ପୂର୍ବାହ୍ନରେ ଏକ ଭାବଗମ୍ଭୀର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥବା ସଭାଗୃହରେ ମମତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ବିଭାଗର ମନ୍ତ୍ରୀ ଅଶ୍ୱିନୀ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲେଶ୍ୱରରେ ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଦାବିରେ କ୍ରିୟାନୁଷ୍ଠାନ କମିଟିର ଅବଦାନ ଇତିହାସ ହୋଇ ରହିବ ବୋଲି ମତ ଦେଇଥିଲେ । ଭୁବନେଶ୍ୱରରେ ଗଣଧାରଣା, ବାଲେଶ୍ୱରରେ ବରିଷ୍ଠ ସଦସ୍ୟଙ୍କ ୭ଦିନ ବ୍ୟାପୀ ଆମରଣ ଅନଶନ, ଭୁବନେଶ୍ୱରରୁ ଫେରୁଥିବା ଗଣଧାରଣାକାରୀଙ୍କ ବସ୍ ଦୁର୍ଘଟଣାରେ ଆହତମାନଙ୍କ ତ୍ୟାଗକୁ ବାଲେଶ୍ୱରବାସୀ କେବେ ଭୁଲିପାରିବେ ନାହିଁ । ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପରେବି ଜିଲ୍ଲାବାସୀଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଥିବା ସମସ୍ତ ସମସ୍ୟାର ସମାଧାନ ପାଇଁ ଲଗାତର ଉଦ୍ୟମ ଜାରିରଖିବା ଏକ ବିରଳ ଦୃଷ୍ଟାନ୍ତ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ମତ ପ୍ରଦାନ କରିଥିଲେ । କ୍ରିୟାନୁଷ୍ଠାନ କମିଟିର ସାଧାରଣ ସଂପାଦକ ପ୍ରଦୀପ ଦାସ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ବରିଷ୍ଠ ଉପଦେଷ୍ଟା ଶମ୍ଭୁନାଥ ମହାନ୍ତି, ପ୍ରଫେସର ଅନନ୍ତ ପ୍ରଧାନ, ଭଗବାନ ଚନ୍ଦ୍ର ରାଉତ, ଦିଲ୍ଲୀ କମିଟିର ସଭାପତି ପ୍ରଫେସର ଅଜୟ ପଟ୍ଟନାୟକଙ୍କ ସମେତ ସନ୍ୟାସୀ ବେହେରା ଓ ସରସ୍ୱତୀ ପଣ୍ଡା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଅତୀତର ବହୁ ଗୌରବମୟ ଆନ୍ଦୋଳନର ତ୍ୟାଗ ଏବେବି ନୂତନ ସଦସ୍ୟ ସଦସ୍ୟାମାନଙ୍କୁ ପ୍ରେରଣା ଯୋଗାଉଛି ବୋଲି ମତପ୍ରକାଶ କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ ପ୍ରେରଣା ଦିବସର ତାତ୍ପର୍ଯ୍ୟ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇ ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ର ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନଙ୍କ ସହ ଏକ ଆଲୋଚନା ତୁରନ୍ତ କରାଇବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ଅତିରିକ୍ତ ସାଧାରଣ ସଂପାଦକ ଇଂ. ହୃଷିକେଶ ସାହୁ ଧନ୍ୟବାଦ ଦେଇଥିଲେ । ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଶତାଧିକ ସଦସ୍ୟ ସଦସ୍ୟା ଏହି ସଭାରେ ଉପସ୍ଥିତ ଥିଲେ ।
ସଦୟ ପ୍ରକାଶନ ପାଇଁ ନିବେଦନ
